ଜମ୍ମୁ-କାଶ୍ମୀରର ସୋପୋରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏଥିରେ ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି । ସୋପୋର ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ରାତି ସାରା ଚାଲିଥିବା ଏନକାଉଣ୍ଟରରେ ସେନାର ଜଣେ ଯବାନ ସହିଦ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଧିକାରୀ ।
ଅଧିକାରୀ କହିଛନ୍ତି, “ଗତକାଲି ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରାଯାଇଥିଲା। " ସୁରକ୍ଷା ବାହିନୀ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ରବିବାର ଘେରାଉ କରିନେଇଥିଲେ । ସେମାନେ ଜାଲୁରା ଗୁଜରପଟ୍ଟିରେ ରାତିରେ କଡ଼ା ନଜର ରଖିଥିଲେ ଏବଂ ଆଜି ସକାଳେ ଏହି ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଥିଲେ । ସୋପୋର ପୋଲିସ ଜିଲ୍ଲାର ଜାଲୁରା ଗୁଜରପଟ୍ଟିରେ ଏକ ସ୍ଥାନରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଯବାନ ଜଣକ ଆହତ ହୋଇଥିଲେ । ତାଙ୍କୁ ଏନକାଉଣ୍ଟର ସ୍ଥଳରୁ ବାହାରକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେପଟେ ଘଟଣା ପରେ ପୂରା ଅଞ୍ଚଳରେ ଛାନଭିନ୍ ଜାରି ରହିଛି । ସୁରକ୍ଷା ବାହିନୀ ସୋପୋର ପୋଲିସ ଜିଲ୍ଲାର ଜାଲୋରା ଗୁଜରାଟୀ ଅଞ୍ଚଳରେ କର୍ଡନ କଡାକଡି କରି ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଛନ୍ତି।