ଗୁଜୁରାଟ ପାଇଁ ଆଜି ଅଶୁଭ ଗୁରୁବାର। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ତଥା ରାଜ୍ୟର ଷୋଡ଼ଶ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ୨୦୦ ରୁ ଅଧିକ ଲୋକଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଏୟାର ଇଣ୍ଡିଆର ଡ୍ରିମଲାଇନର ବିମାନରେ ମୋଟ ୨୪୨ ଜଣ ଲୋକ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ୨୩୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ସାମିଲ ଥିଲେ।
ବିଜୟ ରୂପାନୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବାରେ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ, ବଳବନ୍ତରାଏ ମେହେଟା ଛଅ ଦଶନ୍ଧି ପୂର୍ବେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଗୁଜରାଟ ବିଜେପି ରାଜ୍ୟ ସଭାପତି ସି.ଆର. ପାଟିଲ ବିଜୟ ରୂପାନୀଙ୍କ ମୃତ୍ୟୁର ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ, ‘ଏହା ଏକ ବହୁତ ବଡ଼ ଦୁର୍ଘଟଣା। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ’।
ସରକାର ଏବଂ ସଂଗଠନ ଉଭୟକୁ ପରିଚାଳନା କରିଥିଲେ ବିଜୟ ରୂପାନୀ
ବିଜୟ ରୂପାନୀ ଗୁଜରାଟ ବିଜେପିର ଏକମାତ୍ର ନେତା ଥିଲେ ଯିଏ ରାଜ୍ୟର ସରକାର ଏବଂ ସଂଗଠନ ଉଭୟର ଦାୟିତ୍ୱ ନେଇଥିଲେ। ସେ ପ୍ରଥମେ ରାଜ୍ୟ ସଭାପତି ହୋଇଥିଲେ ଏବଂ ତା’ପରେ ଯେତେବେଳେ ଆନନ୍ଦୀବେନ୍ ପଟେଲ ରାଜ୍ୟରୁ ଇସ୍ତଫା ଦେଇଥିଲେ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ।
ରାଜ୍ୟସଭା ସଦସ୍ୟ ବିଜୟ ରୂପାନୀ ବର୍ତ୍ତମାନ ବିଜେପିର ପଞ୍ଜାବ ରାଜ୍ୟ ପ୍ରଭାରୀ ଥିଲେ। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ରୂପାନୀ ତାଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ। ରୂପାନୀଙ୍କ ମୃତ୍ୟୁରେ ଗୁଜରାଟରେ ତାଙ୍କ ନିକଟତମ ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ବାତାବରଣ ଖେଳିଯାଇଛି। ସେପଟେ ବିଜୟ ରୂପାଣୀଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ତାଙ୍କ ପତ୍ନୀ ଲଣ୍ଡନରୁ ଏବଂ ପୁଅ ଆମେରିକାରୁ ଅହମ୍ମଦାବାଦ ଫେରୁଛନ୍ତି।