ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ବହୁ କସରତ ପରେ ଏବଏଂ ରାଜନୈତିକ ତୁମ୍ବି ତୋଫାନ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ତାଲାପତି ବିଜୟ। ନୂତନ ଇତିହାସ ରଚନା କରିବାକୁ ଯାଉଛନ୍ତି ସୁପରଷ୍ଟାର ଥାଲାପଥି ବିଜୟ। ନିଜର ନୂତନ ରାଜନୈତିକ ଦଳ 'ତାମିଲଗା ଭେଟ୍ରି କାଝାଗାମ' (TVK) ର ବିପୁଳ ବିଜୟ ପରେ ବିଜୟ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବେ। ଗତ ଦୁଇ ଦିନ ଫେରାଇ ଦେବା ପରେ ଆଜି ରାଜ୍ୟପାଳ ବିଜୟଙ୍କୁ ସରକାର ଗଠନ ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ଦେଇଛନ୍ତି।
କାଲି ସକାଳ ୧୧ଟାରେ ଶପଥ ଗ୍ରହଣ
ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ୧୧ଟା ସମୟରେ ଚେନ୍ନାଇରେ ଏକ ଭବ୍ୟ ସମାରୋହରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଦଳ ବୈଠକରେ ବିଜୟଙ୍କୁ ସର୍ବସମ୍ମତିକ୍ରମେ ନେତା ଭାବେ ଚୟନ କରାଯିବା ପରେ, ସେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ। ଗତ ଦୁଇ ଥର ରାଜ୍ୟପାଲ ବିଜୟଙ୍କୁ ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଥିଲେ। ଏହା ପରେ ହିଁ ଶପଥ ସମାରୋହ ହେବ ବୋଲି ସ୍ପଷ୍ଟ ଜଣାଇ ଦେଇଥିଲେ ରାଜ୍ୟପାଳ।
ଭାଙ୍ଗିଲା ୫୯ ବର୍ଷର ପରମ୍ପରା
ତାମିଲନାଡୁରେ ଦୀର୍ଘ ୫୯ ବର୍ଷ ଧରି କେବଳ ଦୁଇଟି ଦ୍ରାବିଡ଼ ଦଳ (DMK ଏବଂ AIADMK) ମଧ୍ୟରେ କ୍ଷମତା ରହୁଥିଲା। କିନ୍ତୁ ବିଜୟଙ୍କ ଏହି ପ୍ରଚଣ୍ଡ ବିଜୟ ସହ ରାଜ୍ୟରେ ଏକ ତୃତୀୟ ଶକ୍ତିର ଉଦୟ ହୋଇଛି। ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ ବିଜୟ ଏବେ ସିନେମା ପରଦାରୁ ବାହାରି ବାସ୍ତବ ଜୀବନରେ ତାମିଲନାଡୁର ସେବା କରିବାକୁ ପ୍ରସ୍ତୁତ ହେଉଛନ୍ତି।
ଶପଥ ଗ୍ରହଣ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି
ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ସମର୍ଥକ ସେମାନଙ୍କ ପ୍ରିୟ 'ଥାଲାପଥି'ଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବା ପାଇଁ ଚେନ୍ନାଇରେ ପହଞ୍ଚିବା ଆରମ୍ଭ କଲେଣି। ଅନେକ ଦକ୍ଷିଣ ଭାରତୀୟ ସିନେ ତାରକା ଏବଂ ପ୍ରତିବେଶୀ ରାଜ୍ୟର ବରିଷ୍ଠ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।