ନୂଆଦିଲ୍ଲୀ: ଭାରତର ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚଏଏଲ ଅର୍ଥାତ ହଲ), ଶୁକ୍ରବାର ଆମେରିକାର ଜେନେରାଲ ଇଲେକ୍ଟ୍ରିକ୍ (ଜିଇ) ସହିତ ୧ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ, ହଲ ତେଜସ୍ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (ଏଲସିଏ) ଏମକେ-୧ଏ ପାଇଁ ଜେଟ୍ ଇଞ୍ଜିନ୍ (ଏଫ୪୦୪-ଜିଇ-ଆଇଏନ୨୦) ଯୋଗାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ପରେ ଏହି ଚୁକ୍ତି ହୋଇଛି।
ଇଞ୍ଜିନ୍ ବିତରଣ କେବେ ଆରମ୍ଭ ହେବ?
ହଲ ଅନୁଯାୟୀ, କମ୍ପାନୀ ୯୭ ଏଲସିଏ ଏମକେ-୧ଏ ଲଢ଼ୁଆ ବିମାନ ପାଇଁ ଇଞ୍ଜିନ୍ ଏବଂ ସମର୍ଥନ ପ୍ୟାକେଜ ଯୋଗାଇବା ପାଇଁ ଜେନେରାଲ ଇଲେକ୍ଟ୍ରିକ୍ କମ୍ପାନି ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଇଞ୍ଜିନ୍ ଯୋଗାଣ ୨୦୨୭ ରେ ଆରମ୍ଭ ହେବ ଏବଂ ୨୦୩୨ ସୁଦ୍ଧା ଅର୍ଡର ସମାପ୍ତ ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ୯୭ ଟି ତେଜସ୍ ଏମକେ-୧ଏ ଲଢ଼ୁଆ ବିମାନ କ୍ରୟ କରିବା ପାଇଁ ସେପ୍ଟେମ୍ବର ୨୦୨୫ ରେ ଏଚଏଏଲ ସହିତ ୬୨,୩୭୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଥିଲା।
ତେଜସ୍ ହେଉଛି ଏକକ ଇଞ୍ଜିନ୍, ବହୁଭୂମିକାର୍ୟ୍ୟ ସମ୍ପନ୍ନ ଯୁଦ୍ଧ ବିମାନ ଯାହାକୁ ଉଚ୍ଚ-ବିପଦପୂର୍ଣ୍ଣ ଆକାଶ ଅଭିଯାନ ପାଇଁ ଡିଜାଇନ୍ କରାଯାଇଛି। ଏହା ବାୟୁ ପ୍ରତିରକ୍ଷା, ସାମୁଦ୍ରିକ ଯାଞ୍ଚ ଏବଂ ଆକ୍ରମଣ ଭଳି ମିଶନ କରିବାକୁ ସକ୍ଷମ। ଏଲସିଏ ଏମକେ-୧ଏ ବିମାନର ପ୍ରଥମ ବ୍ୟାଚ୍ରେ ଏଫ-୪୦୪ ଇଞ୍ଜିନ୍ ବ୍ୟବହାର କରୁଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଫେବୃଆରୀ ୨୦୨୧ ରେ ୮୩ ଟି ତେଜସ ଏମକେ-୧ଏ ବିମାନ କ୍ରୟ କରିବା ପାଇଁ ହଲ ସହିତ ୪୮,୦୦୦ କୋଟି ମୂଲ୍ୟର ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ମାତ୍ର ଜିଇ , ଏରୋସ୍ପେସ ଦ୍ୱାରା ଇଞ୍ଜିନ ଯୋଗାଣରେ ବିଳମ୍ବ କାରଣରୁ ଏହି ବିମାନଗୁଡ଼ିକର ଯୋଗାଣରେ ବାଧା ସୃଷ୍ଟି କରିଛି। ବାୟୁସେନା ବର୍ତ୍ତମାନ ଏହାର ହ୍ରାସ ପାଉଥିବା ଲଢ଼ୁଆ ବିମାନକୁ ପୂରଣ କରିବା ପାଇଁ ତେଜସ୍ ବିମାନର ସମୟସୀମାରେ ଯୋଗାଣ ଚାହୁଁଛି। ବର୍ତ୍ତମାନ, ବାୟୁସେନାର ୩୧ ଟି ସ୍କ୍ବାଡ୍ରନ୍ ଅଛି, କିନ୍ତୁ ଏହାର ଆବଶ୍ୟକତା ୪୨ ରହିଛି ।