ଚଳିତ ଆର୍ଥିକବର୍ଷ ‘୨୦୨୩-୨୪’ର ତୃତୀୟ ତ୍ରୈମାସିକ(ଅକ୍ଟୋବର- ଡିସେମ୍ବର) ରିପୋର୍ଟରେ ଜିଡିିପି ଅଭିବୃଦ୍ଧି ହାର ନେଇ ସୂଚନା ପ୍ରକାଶ ପାଇଛି। ଯାହା ଦେଶର ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧିକୁ ଦର୍ଶାଇଥିବା ବେଳେ ଦେଶର ଅଭିବୃଦ୍ଧି ହାରକୁ ନେଇ ଏହା ଅତ୍ୟନ୍ତ ଖୁସି ଖବର। ବର୍ତ୍ତମାନ ଦେଶର ଜିଡିପି ୮.୪%ହାରରେ ଥିବା ବେଳେ ପୂର୍ବ କ୍ବାର୍ଟରରେ ଏହା ୭.୬% ଥିଲା।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକର ଅଭିବୃଦ୍ଧି ହାର ଭାରତୀୟ ଅର୍ଥନୀତିର ଦୃତ ଅଭିବୃଦ୍ଧିକୁ ସ୍ପଷ୍ଟ କରିଥିବା ବେଳେ ଦେଶରେ ସାମଗ୍ରୀ ଉତ୍ପାଦନ କାର୍ଯ୍ୟକଳାପ ଏବଂ ସରକାରୀ ଖର୍ଚ୍ଚରେ ବେଗ ଆସିଥିବାରୁ ଜିଡିପି ଅଭିବୃଦ୍ଧି ଘଟିଥିବା କୁହାଯାଉଛି । ଭାରତର ଅର୍ଥବ୍ୟବସ୍ଥା ଏବେ ବିଶ୍ବ ଅର୍ଥବ୍ୟବସ୍ଥାରେ ଏକ ପ୍ରମୁଖ ଅଂଶ ହୋଇଥିବା ବେଳେ ସାରା ବିଶ୍ବରେ ସବୁଠୁ ଅଧିକ ଗତିଶୀଳ ଅର୍ଥନୀତି ହୋଇଛି। ଏହି ଅଭିବୃଦ୍ଧିକୁ ନେଇ ବିଶ୍ବବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପରି ପ୍ରମୁଖ ବୈଶ୍ବିକ ଆର୍ଥିକ ସଂଗଠନ ପ୍ରଶଂସା କରିଛନ୍ତି ।
ଏହି ଖୁସି ଖବରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିବୃଦ୍ଧି ଭାରତୀୟ ଅର୍ଥନୀତିର ସାମର୍ଥ୍ୟକୁ ସୂଚାଉଥିବା ବେଳେ ବିକଶିତ ଭାରତ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି। ଭାରତ ଏବେ ବିଶ୍ବର ୫ମ ବୃହତ୍ତମ ଦେଶ ରହିଥିବା ବେଳେ ମୋଦି ସାଧାରଣ ନିର୍ବାଚନରେ ତୃତୀୟ ଥର କ୍ଷମତାକୁ ଆସିବା ପରେ ଦେଶର ଅର୍ଥବ୍ୟବସ୍ଥାକୁ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପହଞ୍ଚାଇବା ଲକ୍ଷ ରଖିଥିବା ନେଇ ଘୋଷଣା କରିସାରିଛନ୍ତି।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାର୍ଚ୍ଚରେ ଶେଷ ହେବାକୁ ଥିବା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଅଭିବୃଦ୍ଧି ହାର ୭% ରହିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବରୁ ରିପୋର୍ଟ ପ୍ରକାଶ କରିଥିଲା । ସେହିପରି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ରିପୋର୍ଟରେ ଏହି ହାର ୭.୩% ରହିବା ନେଇ ତଥ୍ୟ ପ୍ରକାଶ ପାଇଥିଲା।
ଅଧିକ ପଢନ୍ତୁ: ମାର୍ଚ୍ଚ ୪ରୁ ବଦଳିବ ପାଣିପାଗ, ବଢ଼ିବ ତାପମାତ୍ରା