ନୂଆଦିଲ୍ଲୀ: ଲସ୍କର-ଏ-ତୈବା (ଏଲ୍ଇଟି) ପାକିସ୍ତାନୀ ସେନାର ସମର୍ଥନରେ ୨୦୧୯ ମସିହାରେ 'ଦି ରେଜିଷ୍ଟାନ୍ସ ଫ୍ରଣ୍ଟ' (ଟିଆରଏଫ୍) ପ୍ରତିଷ୍ଠା କରିଥିଲା। ଏହାର କିଛି ସମୟ ପୂର୍ବରୁ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦୨୩ ଜାନୁଆରୀ ୫ରେ ଟିଆରଏଫ୍କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଥିଲା।
ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ କହିଛନ୍ତି ଯେ ଟିଆରଏଫ୍ ହେଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଦ୍ୱାରା ସମର୍ଥିତ ବ୍ୟାପକ ପ୍ରଚାର ଏବଂ ହାଇବ୍ରିଡ୍ ଯୁଦ୍ଧର ଏକ ଅଂଶ।
ସୂତ୍ର ଅନୁସାରେ ପାକିସ୍ତାନୀ ସେନାର ପୂର୍ବତନ ସ୍ପେଶାଲ୍ ସର୍ଭିସ୍ ଗ୍ରୁପ୍ (ଏସ୍ଏସ୍ଜି) କମାଣ୍ଡୋମାନଙ୍କୁ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଏଥିରେ ନିଯୁକ୍ତି ଦିଆଯାଇଛି। ଟିଆରଏଫ୍ କଶ୍ମୀରରେ ସଂଖ୍ୟାଲଘୁ, ସୁରକ୍ଷା ବାହିନୀ, ପର୍ଯ୍ୟଟକ ଏବଂ ଅଣକଶ୍ମୀରୀ ନାଗରିକଙ୍କୁ ଟାର୍ଗେଟ କରେ।
ଏହାର ପ୍ରତିଷ୍ଠାତା ମହମ୍ମଦ ଆବାସ ଶେଖ ଏବଂ ଅପରେସନାଲ୍ ମୁଖ୍ୟ ବାସିତ ଅହମ୍ମଦ ଡାର ସମେତ ଏହାର ପ୍ରମୁଖ ନେତୃତ୍ୱ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଏହାର ସର୍ବୋଚ୍ଚ କମାଣ୍ଡର ଶେଖ ସଜ୍ଜାଦ ଗୁଲ୍ ସକ୍ରିୟ ଅଛନ୍ତି ବୋଲି ରିପୋର୍ଟ ହୋଇଛି। ଏପରି ମଧ୍ୟ ରିପୋର୍ଟ ଅଛି ଯେ ଟିଆରଏଫ୍ ମୁଖ୍ୟାଳୟ ମୁରିଦକେରୁ ପାକିସ୍ତାନର ବାହାୱଲପୁରକୁ ସ୍ଥାନାନ୍ତରିତ ହୋଇପାରେ।
ପ୍ରତିରକ୍ଷା ସୂତ୍ର କହିଛନ୍ତି ଯେ ଟିଆରଏଫ୍ ଲସ୍କର-ଏ-ତୈବାର ଲଜିଷ୍ଟିକ୍, ଆର୍ଥିକ ଏବଂ ଅପରେସନାଲ୍ କମାଣ୍ଡ ଅଧୀନରେ କାମ କରେ। ଏହାର ନେତୃତ୍ୱ, ଅସ୍ତ୍ରଶସ୍ତ୍ର କ୍ରୟ, ତାଲିମ ମଡ୍ୟୁଲ୍ ଏବଂ ନିରାପଦ ଆଶ୍ରୟସ୍ଥଳ ଲସ୍କର-ଏ-ତୈବାର ଭିତ୍ତିଭୂମି ସହିତ ସମାନ।
ଏହାର ନୂତନ ନାମର ଲକ୍ଷ୍ୟ ଏଫ୍ଏଟିଏଫ୍ ଯାଞ୍ଚକୁ ଏଡାଇବା, ଅନ୍ତର୍ଜାତୀୟ କଟକଣାରୁ ବଞ୍ଚିବା, ସ୍ଥାନୀୟ ସହାନୁଭୂତି ହାସଲ କରିବା ଏବଂ ଆତଙ୍କବାଦକୁ ବିଦେଶୀ ଷଡ଼ଯନ୍ତ୍ର ପରିବର୍ତ୍ତେ ଏକ ତୃଣମୂଳ ଆନ୍ଦୋଳନ ଭାବରେ ଚିତ୍ରଣ କରିବା। କିନ୍ତୁ ବର୍ତ୍ତମାନ ଏହି ଚାଲରୁ ପରଦା ଉଠାଇ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବ ଇଣ୍ଡି ମେଣ୍ଟ!