ଖବର ଓଡିଶା : 14/04/2023
ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ । ଓଡ଼ିଆମାନେ ଆଜିର ଦିନକୁ ନୂଆ ବର୍ଷ ଭାବେ ପାଳନ କରନ୍ତି। ଏହାକୁ ମହାବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଏହା ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି । ସେପଟେ ପବିତ୍ର ପଣାସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡିଛି ମନ୍ଦିର ଓ ମଠ । ସ୍ୱତନ୍ତ୍ର ପୂଜା, ଭୋଗ, ହୋମରେ ମହକୁଛି ସମ୍ପୂର୍ଣ ପରିବେଶ । ପାରମ୍ପରିକ ରୀତିନୀତି ଅନୁସାରେ ଓଡ଼ିଶାର ଘରେ ଘରେ ପଣା ଭୋଗର ମହକ ।
ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ଅବସରରେ ଆଜିଠୁ ଆରମ୍ଭ ଓଡିଆ ନବବର୍ଷ । ପାଞ୍ଜି ଗଣନାରେ ବିଷୁବ ସଂକ୍ରାନ୍ତିର ବିଶେଷତ୍ୱ ହେଲା, ଏହିଦିନ ସୂର୍ଯ୍ୟ ଖଗୋଳ ପଥରେ ଯେଉଁ କଳ୍ପିତ ବିନ୍ଦୁରେ ପହଞ୍ଚନ୍ତି, ତାହା ପୃଥିବୀର ଠିକ୍ ମଧ୍ୟଭାଗରେ ଥିବା ବିଷୁବ ରେଖା ଉପରେ ଅବସ୍ଥିତ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁଆ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁଆ ଓ ପଣା ଭୋଗର ବିଧି ରହିଛି ।
ପଣା ସଂକ୍ରାନ୍ତି ଅବସରରେ ପ୍ରତିଟି ଓଡ଼ିଆଙ୍କ ଘରେ ବିଭିନ୍ନ ପଣା ପ୍ରସ୍ତୁତ କରାଯାଇଥାଏ । ବୃନ୍ଦାବତୀ ମୂଳରେ ପଣା ପୂଜା କରାଯାଏ । ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ l ଏହି ଠେକିକୁ ବସୁନ୍ଧରା ଠେକି ମଧ୍ୟ କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।
ଏହି ଦିନ ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଚଣ୍ଡୀ, ଶାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ମେରୁ ଯାତ୍ରା ଉତ୍ସବମୁଖର ହୋଇଥାଏ ଦକ୍ଷିଣ ଓଡିଶା ସମେତ ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ । କେବଳ ଓଡ଼ିଶାରେ ନୁହେଁ, ବିଦେଶରେ ବି ହିନ୍ଦୁଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ଦିନଟିଏ ପଣା ସଂକ୍ରାନ୍ତି । ଆଜିର ଦିନରେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରି ନିଜର ମନସ୍କାମନା ପୂରଣ କରିଥାନ୍ତି ଭକ୍ତ ।