ରାଜ୍ୟସଭାରେ ମୋଦୀ ସରକାରକୁ ନାହିଁ ଚିନ୍ତା, ସହଜରେ ପାରିତ ହେବ ନାଗରିକତା ସଂଶୋଧନ ବିଲ
Khabar Odisha:National-news-citizenship-amendment-bill-rajya-sabha-modi-government-bjp-congress-shiv-sena-number-game
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ସୋମବାର ଦିନ ଲୋକସଭାରେ ନାଗରିକତା ସଂଶୋଧନ ବିଲ ସହଜରେ ଗୃହୀତ ହୋଇଛି । ଆସନ୍ତାକାଲି ରାଜ୍ୟସଭାର କାର୍ଯ୍ୟବାହୀ ସୂଚୀ ଅନୁସାରେ ଅପରାହ୍ଣ 2ଟାରେ ଏହି ବିଲ ଉପରେ ଚର୍ଚ୍ଚା କରାଯିବ । ରାଜ୍ୟସଭାରେ ଏହି ବିଲ ଉପରେ ବିତର୍କ ପାଇଁ ସମୟ 6 ଘଣ୍ଟା ଦିଆଯାଇଛି । ଚର୍ଚ୍ଚା ପରେ ଏହି ବିଲ ରାଜ୍ୟସଭାରେ ପାରିତ ହେବା ସମୟରେ ମୋଦୀ ସରକାରର ପ୍ରକୃତ ପରୀକ୍ଷା ହେବ । 

ନାଗରିକ ସଂଶୋଧନ ବିଲ ପକ୍ଷରେ ଜେଡିୟୁ, ଶିବସେନା, ବିଜେଡି ଏବଂ ପୂର୍ବୋତ୍ତର କିଛି ଦଳର ସମର୍ଥନ ମିଳିବା କାରଣରୁ ଲୋକସଭାରେ ଏହି ବିଲକୁ ପାରିତ କରିବାରେ କୌଣସି ଅସୁବିଧା ହୋଇନଥିଲା । କିନ୍ତୁ ଶିବସେନା ମୁଖ୍ୟ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟସଭାରେ ସମର୍ଥନ ପାଇଁ ସର୍ତ ରଖି ବର୍ତ୍ତମାନ ସମୟରେ ବିଜେପିର ଚିନ୍ତା ବଢାଇଛନ୍ତି । କିନ୍ତୁ ଯଦି ରାଜ୍ୟସଭାର ଦଳଗତ ସଂଖ୍ୟା ଦେଖିବା ତେବେ ମୋଦୀ ସରକାର ଏହାକୁ ସହଜରେ ପାସ କରିପାରିବ । 

ରାଜ୍ୟସଭାରେ ସମୁଦାୟ ସଦସ୍ୟଙ୍କ ସଂଖ୍ୟା 245 । କିନ୍ତୁ ବର୍ତ୍ତମାନ 5ଟି ଆସନ ଖାଲି ରହିଛି । ଏହିପରି ଭାବେ ରାଜ୍ୟସଭାରେ ସଦସ୍ୟଙ୍କ ସଂଖ୍ୟା 240 ରହିଛି । ଏହାର ଅର୍ଥ ବିଲ ପାଇଁ ଯଦି ଗୃହରେ ସମସ୍ତ ସଦସ୍ୟଙ୍କ ମତଦାନ ହୁଏ ତେବେ ବହୁମତ ପାଇଁ 121 ଭୋଟ ଦରକାର ପଡିବ । 

ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ ପାସ କରିବା ପାଇଁ ମୋଦୀ ସରକାରକୁ ଯେତେ ଜଣ ସାଂସଦଙ୍କ ଭୋଟ ଦରକାର ତାହାଠାରୁ ଅଧିକ ସଂଖ୍ୟାରେ ସାଂସଦ ତାଙ୍କ ସପକ୍ଷରେ ଭୋଟ ଦେଇ ପାରନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟସଭାରେ ବିଜେପିର 83, ଜେଡିୟୁର 6, ଏଆଇଡିଏମକେର 11, ବିଜେଡିର 7, ଏସଏଡି 3, ଆରପିଆଇର 1, ଏସଡିଏଫର 1, ନୋମିଟେଡ 3 ସଦସ୍ୟ, ନିର୍ଦଳୀୟ ଏବଂ ଅନ୍ୟ 4ଙ୍କ ସହ ସମୁଦାୟ 127 ସାଂସଦ ଅଛନ୍ତି ଯେଉଁମାନେ ବିଲର ସପକ୍ଷରେ ଭୋଟ କରିପାରନ୍ତି । 

ଅନ୍ୟପଟେ ଯେଉଁ ଦଳ ଏହି ବିଲର ବିରୋଧରେ ଅଛନ୍ତି ସେମାନଙ୍କ ମୋଟ ସଂଖ୍ୟା 113 । ବିଲ ବିରୋଧରେ କଂଗ୍ରେସ 43, ଟିଏମସିର 13, ଏସପିର 9, ଆପର 3, ବିଏସପିର 4, ସିପିଆଇର 1, ସିପିଏମର 5, ଡିଏମକେର 5, ଆଇୟୁଏମଏଲର 1, ପିଡିପିର 2, ଜେଡିଏସର 1, କେରଳ କଂଗ୍ରେସ ଏମର 1, ଏମଡିଏମକେର 1, ପିଏମକେର 1, ଆରଜେଡିର 4, ଶିବସେନାର 3, ଟିଆରଏସର 6, 1 ନୋମିନେଟେଡ ଏବଂ 2 ଜଣ ନିର୍ଦଳୀୟ ଏବଂ ଅନ୍ୟଙ୍କ ସହ ମୋଟ 113 ସାଂସଦ ଅଛନ୍ତି ।   

Subscribe

National International State Sports Entertainment