ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ରହିବେ । ଏହି ଗସ୍ତ କାଳରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଥିଲେ ଯେ, ସେପ୍ଟେମ୍ବର ୨୯ ଓ ତା’ ପରଦିନ ମୁଁ ଗୁଜରାଟ ଗସ୍ତରେ ରହିବ । ସେଠାରେ ଅନେକଗୁଡ଼ିଏ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ସୁରତ, ଭାବାନଗର, ଅହମଦାବାଦ ଓ ଅମ୍ବାଜୀରେ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେବେ । ମୋଟ ୨୯୦୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦ୍ଘାଟନ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସେ ଭାବାନଗରରେ ବିଶ୍ୱର ସର୍ବପ୍ରଥମ ସିଏନ୍ଜି ଟର୍ମିନାଲ ପାଇଁ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ଓ ଅହମଦାବାଦ ମେଟ୍ରୋରେ ଯାତ୍ରା କରିବେ ।
ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ମା’ ଦୁର୍ଗାଙ୍କ ନବରାତ୍ରୀ ଅବସରରେ କିଛି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।