ଭୁବନେଶ୍ବର: ବୈତରଣୀ ନଦୀରେ ପୁଣି ଏକ ଅଘଟଣ ଘଟିଛି। ଗାଧୋଇବାକୁ ଯାଇଥିବା ଜଣେ ନାବାଳକ ପାଣିରେ ବୁଡ଼ି ମୃତ୍ୟୁ ହୋଇଛିl ମୃତ ନାବାଳକ ହେଲା ମକରା ମୁଣ୍ଡା (୭)।
ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ କାଦୁଅବାହାଳି ନିକଟକୁ ନିଜର ଏକ ସାଙ୍ଗ ସହିତ ଦେବ ମୁଣ୍ଡାଙ୍କ ପୁଅ ମକରା ମୁଣ୍ଡା ଗାଧୋଇବାକୁ ଯାଇଥିଲା। ସେଠାରେ ସେମାନେ ଗାଧୋଉଥିଲେ। ଜଳର ଗଭୀରତା ସଂପର୍କରେ ନାବାଳକମାନେ ଜାଣି ପାରି ନଥିଲେ। ମକଳା ପାଣିରେ ବୁଡ଼ି ଯାଇଥିଲା। ତେବେ ତାର ସାଙ୍ଗ ଉପାୟ ଶୂନ୍ୟ ହୋଇଥିଲା। ସେ ଗାଁ ଲୋକଙ୍କୁ ଏନେଇ ସୂଚନା ଦେଇଥିଲା।
ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ମକରାକୁ ଉଦ୍ଧାର କରିଥିଲେ। ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମକରାଙ୍କ ମୃତ୍ୟୁରେ କାଦୁଅବାହାଳି ଗାଁରେ ଶୋକର ଛାୟା ଖେଳି ଯାଇଛି।
ସୂଚନାଯୋଗ୍ୟ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଆଇତିପୁର ପଞ୍ଚାୟତ ଅମୃତପୁର ଗାଁର ଚିତ୍ତରଞ୍ଜନ ଭୂତିଆଙ୍କ ସାନପୁଅ ସୌମ୍ୟରଞ୍ଜନ(୧୬)ଙ୍କର ବୈତରଣୀ ନଦୀରେ ବୁଡ଼ି ଗତକାଲି ମୃତ୍ୟୁ ଘଟିଥିଲା। ଗାଁର ୪ଜଣ ପିଲା ନଦୀରେ ଗାଧୋଉଥିବା ବେଳେ ସୌମ୍ୟରଞ୍ଜନ ଓ ଗ୍ରାମର ସଦାନନ୍ଦ ଦାସଙ୍କ ପୁଅ ଆକାଶ(୨୦) ବୁଡ଼ି ଯାଇଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଶାଳଣିଆଁ ଡାକ୍ତରଖାନାକୁ ନେଇଥିଲେ। ସୌମ୍ୟରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚଳିତବର୍ଷ ସୌମ୍ୟରଞ୍ଜନ ଗେଡ଼ମା ହାଇସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ।
ଆହୁରି ପଢ଼ନ୍ତ: ବେଆଇନ୍ ଟ୍ରକ୍ ପାର୍କିଂ: ପଛରୁ ପିଟିଲା ଯାତ୍ରୀବାହୀ ବସ୍; ହେଲପର ମୃତ