ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କରୋଲ ବାଗ ଅଞ୍ଚଳର ଝାଣ୍ଡେୱାଲାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି।
ପୋଲିସ ଅନୁଯାୟୀ, କରୋଲ ବାଗର ହନୁମାନ ମନ୍ଦିର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଗ୍ନିଶମ ବିଭାଗ ରାତି ୧ଟା ୮ମିନିଟରେ ବସ୍ ଓଲଟି ପଡ଼ିବା ବିଷୟରେ ସୂଚନା ପାଇଥିଲା। ପୋଲିସ ଏବଂ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ସହାୟତା କାର୍ଯ୍ୟ ଆରମ୍ଭ କରିଥିଲେ।
ବସ୍ଟି ରାଜସ୍ଥାନରୁ ଆସୁଥିଲା ଏବଂ ପ୍ରାୟ ୨୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିଲା। ହଠାତ୍ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ରାସ୍ତାରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଆହତ ଯାତ୍ରୀମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣାର କାରଣ ତଦନ୍ତ କରୁଛି। ପ୍ରାରମ୍ଭିକ ଭାବରେ, ବସ୍ ଟି ନିୟନ୍ତ୍ରଣ ହରାଇଥିବା ଅନୁମାନ କରାଯାଉଛି।
ଅଧିକ ପଢ଼ନ୍ତୁ: ଇନ୍ଧନ ଟାଙ୍କି ଉପରେ ଆକ୍ରମଣ କଲା ଇରାନ ଡ୍ରୋନ୍