ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବ୍ରଜେଶ୍ୱରୀ ଆନେକ୍ସ ଆବାସିକ ଅଞ୍ଚଳରେ ଏକ ଘରେ ନିଆଁ ଲାଗିଛି। ଏହି ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଘଟଣା ସମ୍ପର୍କରେ ଇନ୍ଦୋର ପୋଲିସ କମିଶନର ସନ୍ତୋଷ କୁମାର ସିଂହ କହିଛନ୍ତି, ପ୍ରାଥମିକ ତଦନ୍ତ ଅନୁଯାୟୀ ଘର ବାହାରେ ଏକ ଇଲେକ୍ଟ୍ରିକ୍ ଯାନ ଚାର୍ଜ ହେଉଥିଲା ଏବଂ ଚାର୍ଜିଂ ପଏଣ୍ଟ ବିସ୍ଫୋରଣ ହୋଇଥିଲା। ତା'ପରେ ଗାଡ଼ିରୁ ନିଆଁ ଘର ପର୍ଯ୍ୟନ୍ତ ବ୍ୟାପିଗଲା। ଘର ଭିତରେ ୧୦ରୁ ଅଧିକ ଗ୍ୟାସ୍ ସିଲିଣ୍ଡର ମଧ୍ୟ ରଖାଯାଇଥିଲା, ଯାହା ମଧ୍ୟରୁ କିଛି ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଘରଟି ପଲିମର ବ୍ୟବସାୟୀ ମନୋଜ ପୁଗାଲିଆଙ୍କର ଥିଲା। ଘରେ କିଛି ଜ୍ୱଳନଶୀଳ ରାସାୟନିକ ପଦାର୍ଥ ମଧ୍ୟ ରଖାଯାଇଥିଲା।
ପୋଲିସ କହିଛି ମୃତକଙ୍କ ପରିଚୟ ହେଲା ମନୋଜ ପୁଗାଲିଆ (ଘର ମାଲିକ), ସିମରନ୍, ବିଜୟ ସେଥିଆ, ସୁମନ ସେଥିଆ, ରାଶି ଓ ଛୋଟୋ ସେଥିଆ। ଆହତ ସୌରଭ, ସୁନୀତା ଏବଂ ସୋନିଲଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅଧିକ ପଢ଼ନ୍ତୁ: ମୃତ୍ୟୁର ଗୋଟିଏ ସପ୍ତାହ ପୂର୍ବରୁ ଟ୍ରମ୍ପଙ୍କୁ ଧମକ ଦେଇଥିଲେ ଅଲି ଲାରିଜାନି