ଭୁବନେଶ୍ବର: ମାଟିକାନ୍ଥ ଗରିବ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ଲଗାତାର ଦ୍ବିତୀୟ ରାତିରେ ପ୍ରାଣ ନେଇଛି। ଗତକାଲି ବାଲେଶ୍ବର ଜିଲ୍ଲାରେ ମାଟିକାନ୍ଥ ପଡ଼ି ଆଈ ଏବଂ ନାତିଙ୍କ ମୃତ୍ୟୁ ଘଟିଥିଲା। ସୋମବାର ମଙ୍ଗଳବାର ରାତିରେ ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅଞ୍ଚଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ସ୍ବାମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ମହିଳା ହେଲେ ହେମଲତା ମହାନ୍ତ।
ସୂଚନା ଅନୁସାରେ ବାଦାମପାହାଡ଼ ଥାନା ଅଧୀନ ଚୁଆପାଣି ଗ୍ରାପ ଛଣୁଆ ଗ୍ରାମ ବଡ଼ସାହିର ବୀରଭଦ୍ର ମହାନ୍ତ ଏବଂ ତାଙ୍କ ସ୍ତ୍ରୀ ହେମଲତା ସୋମବାର ରାତିରେ ଖାଇପିଇ ଶୋଇଥିଲେ। ରାତି ପ୍ରାୟ ୩ଟାରେ ପଡୋଶୀ ଘରର କାନ୍ଥ ଭୁଶୁଡିବା ପରେ ବୀରଭଦ୍ରଙ୍କ କାନ୍ଥ ଉପରେ ପଡ଼ିଯାଇଥିଲା। ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ହେମଲତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବୀରଭଦ୍ରଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନାଯୋଗ୍ୟ, ରବିବାର-ସୋମବାର ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ନେତୁଆ ପଞ୍ଚାୟତର କପାସୁଦା ଗାଁରେ ପଡୋଶୀ ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ରାଧିକା ସ୍ବାଇଁ (୬୫) ଏବଂ ଜ୍ୟୋତି ପ୍ରକାଶ ସ୍ବାଇଁ (୧୮)ଙ୍କ ମୃତ୍ୟୁ ଘଟିଥିଲା। କପାସୁଦା ଗାଁର ସ୍ବର୍ଗତ ନରେନ୍ଦ୍ର ଜେନାଙ୍କ ପତ୍ନୀ ରାଧିକା, ତାଙ୍କ ନାତି ଜ୍ୟୋତି ପ୍ରକାଶ, ନାତୁଣି ସ୍ମୃତିରେଖା ଘରର ଦୁଆରରେ ଶୋଇଥିଲେ। ରାତି ପାଖାପାଖି ସାଢେ ୯ଟାରେ ତାଙ୍କ ପୌଡଶୀ ବଂଶୀଧର ଜେନା ଓ ଗଙ୍ଗାଧର ଜେନାଙ୍କ ଘରର କାନ୍ଥ ଭୁଶୁଡ଼ି ଥିଲା। ଘର ଭୁଡୁଡ଼ିବା ପରେ ଏହାର ଭଗ୍ନାବଶେଷ ରାଧିକାଙ୍କ ପରିବାର ଶୋଇଥିବା ଆଜବେଷ୍ଟସ ଛପର ଉପରେ ପଡ଼ିଥିଲା। ଘଟଣାସ୍ଥଳରେ ରାଧିକା ଓ ଜ୍ୟୋତିଙ୍କ ମୃତ୍ୟୁ ଘଟିଥିଲା। ସ୍ମୃତିରେଖାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: 'ବନ୍ଦେ ମାତରମ୍' ଗାନରେ ବାଧା ସୃଷ୍ଟି ଅଭିଯୋଗର ତଦନ୍ତ ଆରମ୍ଭ