ଖବର ଓଡିଶା : 03/05/2023:
ପ୍ରତ୍ୟେକ ବର୍ଷ ଅକ୍ଟୋବର ଏବଂ ନଭେମ୍ବର ମାସରେ ରାଜ୍ୟକୁ ଘାରିଥାଏ ବାତ୍ୟା ଭୟ । ୧୯୯୯ ମସିହା ମହାବାତ୍ୟା ପରେ ଓଡିଶା ଆଉ ଦେଖି ନଥିଲା ସେହିଭଳି କେବେ ବଡ଼ ବାତ୍ୟା । ଦୀର୍ଘବର୍ଷର ବ୍ୟବଧାନ ପରେ ସେ ଦିନ ଥିଲା ୨୦୧୯ ମସିହା ମେ’ ୩ । ପାଣିପାଗ ବିଶେଷଜ୍ଞ ପୂର୍ବରୁ ଜାରିକରିଥିଲେ ବାତ୍ୟା ସତର୍କତା ତଥାପି ସବୁକିଛି ଯେପରି ଥିଲା ଶାନ୍ତ । ଓଡିଶାବାସୀ ଭାବିଥିଲେ ଗୋଟେ ଛୋଟ ବାତ୍ୟା ଆସିବା ଆଉ ମାଡ଼ ହୋଇଚାଲିଯିବ ହେଲେ ହଠାତ୍ ପବନ, ଘଡଘଡି, ବିଜୁଳିକୁ ସାଙ୍ଗରେ ଧରି ବାତ୍ୟା ଫନି ଛୁଇଁଥିଲା ଓଡିଶା ଉପକୁଳ । ବିଶେଷ କରି ପୁରୀ ଏବଂ କୋଣାର୍କ ଉପକୁଳବର୍ତ୍ତୀ ଅଞ୍ଚଳକୁ ଛାରଖାର୍ କରିଦେଇଥିଲା ଏହି ବାତ୍ୟା । ସେଦିନ ପ୍ରକୃତି ରଚିଥିଲା ତାର କରାଳ ତାଣ୍ଡବ । କଳ୍ପନାଠାରୁ ଅଧିକ ବିଭୀଷିକା ଖେଳାଇ ଦେଇଗଲା ସାରା ଓଡିଶାରେ । ପାଣିପାଗ ବିଶେଷଜ୍ଞଙ୍କ ଆକଳନକୁ ଭୁଲ୍ ପ୍ରମାଣିତ କରି ପ୍ରବଳ ଝଡ ତୋଫାନ୍ ସହ ଉପକୂଳ ଛୁଇଁଲା ବାତ୍ୟା 'ଫନି' । କୋଣାର୍କ ଏବଂ ପୁରୀ ଉପକୁଳରେ ସକାଳ ସାଢ଼େ ୮ଟା ସମୟରେ ବାତ୍ୟା ଫନି ଲ୍ୟାଣ୍ଡଫଲ୍ କରିଥିଲା । ପ୍ରାୟ ୨୦୦ କିଲୋମିଟର୍ ରୁ ଅଧିକ ବେଗରେ ସାମୁଦ୍ରିକ୍ ପବନ ନେଇ ଓଡିଶାକୁ କ୍ଷତବିକ୍ଷତ କରି ଚାଲିଥିଲା । ନିମିଷକରେ ବଡ ବଡ କୋଠାଠାରୁ ଆରମ୍ଭ କରି ଦୋକାନ, ଛପର ସବୁ କିଛି କୁ ମାଟିରେ ମିଶାଇ ଦେଇଥିଲା । ଅନେକ ଲୋକ ଏବେ ବି ଫନିର ସେହି ଗଭୀର କ୍ଷତକୁ ଲିଭେଇପାରିନାହାନ୍ତି । କିଏ ବାସହରା ହୋଇଥିଲା, ତ କିଏ ବେରୋଜଗାର ହୋଇଥିଲା । ଅଲିଭା ଦାଗ ଛାଡି ଦେଇଯାଇଥିଲା ଫନି ବାତ୍ୟା ।
ବିଶେଷ କରି ପୁରୀ ଏବଂ କୋଣାର୍କର ସବୁତକ ଗଚ୍ଛିତ ସୌନ୍ଦର୍ଯ୍ୟ କ୍ଷଣିକରେ ନଷ୍ଟ ହୋଇଯାଇଥିଲା । କେଉଁଠି ଛପର ଉପୁଡିପଡିଥିବା ଦେଖିବାକୁ ମିଳିଥିଲା ତ କେଉଁଠି ବଡ ବଡ ଗଛ ସବୁ ଉପୁଡି ରାସ୍ତା ଉପରେ ଶୋଇଥିଲା । ଖାଲି ସେତିକି ପର୍ଯ୍ୟଟକ ସ୍ଥଳୀକୁ ବିପର୍ଯ୍ୟୟ ସ୍ଥଳୀରେ ପରିବର୍ତ୍ତନ କରିଦେଇଥିଲା ଫନି । ପବନ ର ବେଗ ଏତେ ଥିଲା ଯେ ଶ୍ରୀ ମନ୍ଦିର କଳ୍ପବଟ ବୃକ୍ଷର କିଛି ଅଂଶ ବି ଭାଙ୍ଗିଦେଲା | ବିଶେଷକରି ପୁରୀରେ ହୋଟେଲ୍ ଶିଳ୍ପ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକମାନଙ୍କ ଜୀବିକାକୁ ମଧ୍ୟ ବାତ୍ୟା ଛଡାଇନେଇଥିଲା । ସବୁ ହୋଟେଲ୍ ଭିତରେ ପବନର ବେଗ ଯୋଗୁଁ ମୋଟା ସ୍ତରର ବାଲି ଚରିଯାଇଥିଲା । ତେବେ ଖାଲି ପୁରୀ ଏବଂ କୋଣାର୍କ ନୁହେଁ ବରଂ ରାଜଧାନୀବାସୀ ମଧ୍ୟ ଅନୁଭବ ଏହି ପ୍ରଳୟଙ୍କାରୀ ବାତ୍ୟା ଫନିର ଯନ୍ତ୍ରଣା । ରାଜଧାନୀରେ ପ୍ରାୟ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଫନିର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶାର ସୌନ୍ଦର୍ଯ୍ୟକୁ ପୁରା ଛାରଖାର କରିବା ସହ ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରପୁର ଓଡିଶାର ଅଣ୍ଟାକୁ ଦୋହଲାଇ ଦେଇଥିଲା ବାତ୍ୟା । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ସବୁ ଭାଙ୍ଗି ପଡିବା ସହ ଯୋଗାଯୋଗର ଭିତ୍ତିଭୁମିକୁ ଶୋଚନୀୟ ହୋଇଯାଇଥିଲା । ତେବେ ଆଜି ବାତ୍ୟା ଫନିକୁ ଚାରି ବର୍ଷ ପୁରିଛି ହେଲେ ଆଜି ବି ବାତ୍ୟା ' ଫନି'ର କଷ୍ଟ କୁ ଭୁଲିନାହାନ୍ତି ଉପକୂଳ ବାସୀ ।