ଭୁବନେଶ୍ୱର: ୨୦୨୨ ଜୁଲାଇ ୨୨ ତାରିଖରେ ନିର୍ବାଚନ ଅଧିକାରୀ ଏବଂ ରାଜ୍ୟସଭାର ମହାସଚିବ ଘୋଷଣା କରିଥିଲେ ଭାରତର ୧୫ତମ ରାଷ୍ଟ୍ରପତିଙ୍କ ନାମ, ଦ୍ରୌପଦୀ ମୁର୍ମୁ । ସାରା ଦେଶରେ ଚର୍ଚ୍ଚା ହୋଇଥିଲା କିଏ ଏହି ମହୀୟସୀ ମହିଳା ଯିଏ ମହାମହିମର ପଦ ଗ୍ରହଣ କରିବେ । ଦ୍ରୌପଦୀ ମୁର୍ମୁ ହୋଇଥିଲେ ଦେଶର ପ୍ରଥମ ଆଦିବାସୀ, ଦ୍ୱିତୀୟ ମହିଳା ଏବଂ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ଆଜି ହେଉଛି ସେହି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ୬୬ତମ ଜନ୍ମ ଦିବସ । ମହାମହିମ ୬୭ ବର୍ଷ ବୟସରେ ପାଦ ଥାପିଛନ୍ତି ।
୧୯୫୮ ମସିହା ଜୁନ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାସ୍ଥିତ ବାଇଦାପୋଷିଠାରେ ଏକ ସାଧାରଣ ସାନ୍ତାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ବାପାଙ୍କ ନାଁ ବିରଞ୍ଚି ନାରାୟଣ ଟୁଡୁ । ତାଙ୍କର ପ୍ରଥମ ନାମ ଥିଲି ପୁଟି ଟୁଡୁ । ଆଦିବାସୀ ସମ୍ପ୍ରଦାୟରେ ପୁଟିର ଅର୍ଥ ମାଟି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍କୁଲ ଶିକ୍ଷକ ପୁଟି ନାମକୁ ବଦଳାଇ ରଖିଥିଲେ ଦ୍ରୌପଦୀ ଟୁଡୁ । ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ ପରେ ସେ ଟୁଡୁରୁ ହୋଇଥିଲେ ମୁର୍ମୁ ।
ଦ୍ରୌପଦୀ ମୁର୍ମୁ ଉବରବେଡ଼ା ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ିଥିଲେ । ତା\'ପରେ ଭୁବନେଶ୍ୱର ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଦଶମ ପର୍ୟ୍ୟନ୍ତ ଶିକ୍ଷା ଅର୍ଜନ କରିବା ପରେ ରମାଦେବା ମହିଳା ମହାବିଦ୍ୟାଳୟରେ (ଏବେକାର ବିଶ୍ୱବିଦ୍ୟାଳୟ) କଳାରେ ସ୍ନାତକ ପର୍ୟ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ ।
ପାଠ ପଢ଼ା ସରିବା ପରେ ସେ ଓଡ଼ିଶା ସରକାରଙ୍କ ଅଧିନରେ ଜଳସେଚନ ଓ ବିଦ୍ୟୁତ ବିଭାଗରେ କନିଷ୍ଠ ସହାୟିକା ଭାବେ କାର୍ୟ୍ୟ କରିଥିଲେ । ଏହା ପରେ ରାଇରଙ୍ଗପୁରଠାରେ ଥିବା ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନରେ ଶିକ୍ଷକତା କରିଥିଲେ ।
ଶିକ୍ଷକତାରୁ ପ୍ରବେଶ କଲେ ରାଜନୀତିରେ
ଦ୍ରୌପଦୀ ମୁର୍ମୁ ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ ୧୯୯୭ ମସିହାରେ ରାଜନୀତିରେ ଦୁନିଆରେ ପାଦ ଥାପିଥିଲେ । ୱାର୍ଡ ମେମ୍ବରରୁ ଭାବରେ ବିଜୟୀ ହାସଲ କରିବା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ କ୍ରମାଗତ ୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେଡ଼ି ଏବଂ ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଛନ୍ତି ।
ଖାଲି ସେତିକି ନୁହେଁ ତାଙ୍କର ପାରଦର୍ଶିତା ଏବଂ କର୍ମଠ କାର୍ଯ୍ୟଶୈଳୀ ଦେଖି ବିଜେପି ତାଙ୍କୁ ଅନେକ ପଦ ପଦବୀରେ ଅବସ୍ଥାପିତ କରିଛି । ଆଦିବାସୀ ମୋର୍ଚ୍ଚାର ଉପ-ସଭାପତି ଓ ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟା ମଧ୍ୟ ରହି ସାରିଛନ୍ତି । ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ରହିଛନ୍ତି । ବିଜେପି ମୟୁରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଛନ୍ତି । ଏହା ସହିତ ୨୦୧୫ ରୁ ୨୦୨୧ ଯାଏଁ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଛନ୍ତି ।
ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଜୀବନରେ ଆସିଥିଲା ଝଡ଼
ମହାଭାରତ ଦ୍ରୌପଦୀ ପରି ଦ୍ରୌପଦୀ ମୁର୍ମୁ ମଧ୍ୟ ଦେଖିଛନ୍ତି ଅନେକ ଦୁଃଖ । ଦ୍ରୌପଦୀ ମୁର୍ମୁ ଏବଂ ଶ୍ୟାମ ଚରଣ ମୁର୍ମୁଙ୍କର ତିନୋଟି ସନ୍ତାନ ଥିଲେ । ଦୁଇ ପୁଅ ଲକ୍ଷ୍ମଣ ମୁର୍ମୁ ଓ ସିପୁନ ମୁର୍ମୁ ଏବଂ ଝିଅ ଇତିଶ୍ରୀ ମୁର୍ମୁ । ଜୀବନରେ ପ୍ରତ୍ୟେକ ପାହାଚରେ ସଫଳତାର ସହିତ ଚଢ଼ୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବ୍ୟକ୍ତିଗତ ଜୀବନରେ ଅନେକ ଝଡ଼ଝଞ୍ଝାର ସାମ୍ନା କରିଛନ୍ତି । ହସଖୁସିର ସଂସାର ରଥ ଆଗକୁ ବଢ଼ୁଥିବାବେଳେ ତାଙ୍କ ଖୁସି ସଂସାରରେ ଲାଗିଥିଲା ଗ୍ରହଣ । ସେ ତାଙ୍କର ଦୁଇ ଦୁଇଟି ସନ୍ତାନକୁ ହରାଇଥିଲେ । ୨୦୦୯ରେ ଗୋଟିଏ ପୁତ୍ର ଏବଂ ୨୦୧୩ ଆଉ ଏକ ପୁତ୍ରକୁ ହରାଇ ବସିଥିଲେ । ତଥାପି ସେ ଭାଙ୍ଗିପଡ଼ି ନ ଥିଲେ । ପୁଣି ଥରେ ସଳଖ ହୋଇ ଛିଡ଼ା ହୋଇ ଆଗକୁ ବଢ଼ିଥିଲେ । କିନ୍ତୁ ଦଇବର ଲେଖା ଆଉ କିଛି ଥିଲା । ସାତ ଜନ୍ମର ସାଥି ହୋଇ ବାଟ ଚାଲିବାକୁ କଥା ଦେଇଥିବା ଜୀବନ ସାଥି ମଧ୍ୟ ଅଧା ବାଟରେ ହାତ ଛାଡ଼ି ଏକୁଟିଆ ଆରପାରିକୁ ଚାଲିଗଲେ । ୨୦୧୪ ମସିହାରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କର ଦେହାନ୍ତ ହୋଇଥିଲା ।
ତଥାପି ଦ୍ରୋପଦୀ ମୁର୍ମୁ ଥକି ପଡ଼ି ନାହାଁନ୍ତି । ସେ ଆଗକୁ ବଢ଼ି ଚାଲିଛନ୍ତି । ତାଙ୍କର ସରଳ ଏବଂ ନିରାଡ଼ମ୍ବର ଜୀବନ ପାଇଁ ସେ ଖୁବ ଲୋକପ୍ରିୟ । ଖାଲି ସେତିକି ନୁହେଁ ତାଙ୍କର ଅଭିଭାଷଣରେ ସେ ଲୋକଙ୍କୁ ମୁଗ୍ଧ କରନ୍ତି । ପ୍ରତ୍ୟେକ ଭାଷଣରେ ଲୋକଙ୍କୁ ଜୀବନରେ କିପରି ଆଗକୁ ବଢ଼ିବେ ଏବଂ ବଞ୍ଚିବାର ସରଳ ଉପାୟ ତାହା ବୁଝାଇ ଥାଆନ୍ତି । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟ ରାଷ୍ଟ୍ରପତି ହୋଇପାରିଛନ୍ତି ।