ଭୁବନେଶ୍ୱର :ଅଦରକାରୀ ରଦି କାଗଜରୁ ପ୍ରସ୍ତୁତ ହେଉଛି ବିଭିନ୍ନ ରଙ୍ଗ ବେରଙ୍ଗର ମୁଖା। ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାରେ କାଗଜ ମୁଖାର ରହିଛି ସ୍ୱତନ୍ତ୍ର ପରିଚୟ। କିନ୍ତୁ ଏହି କଳା ଏଵେ ହଜିଯିବାକୁ ବସିଲାଣି। ଏହି କାଗଜ ମୁଖା ଲୋକ କଳାର ବାର୍ତ୍ତା ବହନ କରୁଥିବା ବେଳେ ଆଗାମୀ ପିଢ଼ି ଏହି କଳାକୁ ସେହିଭଳି ଭାବେ ଆପଣଉ ନଥିବା ଦେଖିବାକୁ ମିଳୁଛ। ବିଶେଷକରି କାଗଜ ମୁଖାକୁ ପୂର୍ବରୁ ବିଭିନ୍ନ ରାମଲୀଳା, କୃଷ୍ଣ ଲୀଳା ଭଳି ଲୋକକଳା ମାନଙ୍କରେ କଳାକାର ମାନେ ପରିଧାନ କରି ନୃତ୍ୟ ପରିବେଷଣ କରିଥାନ୍ତି । କିନ୍ତୁ ଯୁଗ ବଦଳିବା ସହ ଏହି କାଗଜ ମୁଖା ଶିଳ୍ପ ଏଵେ ବୁଡି ଯିବାକୁ ବସିଛି। ଏହି ସମୟରେ କାଗଜ ମୁଖା ଶିଳ୍ପକୁ ଜନ ମାନସରେ ବଞ୍ଚାଇ ରଖିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଘମାରି ଗ୍ରାମର ପ୍ରମୋଦ କୁମାର ପଣ୍ଡା। ପ୍ରମୋଦ ଏହି କାଗଜ ମୁଖାକୁ ଅତି ନିଖୁଣ ଭାବରେ ରଦି କାଗଜ ଦ୍ୱାରା ପ୍ରସ୍ତୁତ କରି ଏଥିରେ ପ୍ରାକୃତିକ ରଙ୍ଗ ସାହାଯ୍ୟରେ ଜୀବନ୍ତ କରିଥାନ୍ତି। ଆଉ ଗ୍ରାମାଞ୍ଚଳରେ ପୌରାଣିକ ନାଟକ ପରିବେଷଣ ହେଉ ନଥିବାରୁ ଏହି ମୁଖା ଆଉ ସେଥିରେ ବ୍ୟବହାର ହେଉନି। କିନ୍ତୁ ବିଭିନ୍ନ ପ୍ରତିକୃତିର ଏହି କାଗଜ ମୁଖା ରାଜ୍ୟ ବାହାରେ ତଥା ବିଦେଶରେ ବେଶ ଆଦୃତ ହୋଇପାରିଛି । ବିଶେଷକରି ଏହି ସୁନ୍ଦର କାଗଜ ମୁଖାକୁ ଘର ସଜ୍ଜା ତଥା ବଡ଼ ତାରକା ହୋଟେଲ ମାନଙ୍କରେ ବ୍ୟବହାର କରାଯାଉଥିବା କହିଛନ୍ତି ମୁଖା କାରିଗର ପ୍ରମୋଦ। ଖାଲି ଏତିକି ନୁଁହ କେଉଁଠାରୁ ବିଧିବଦ୍ଧ ପ୍ରଶିକ୍ଷଣ ନେଇ ନଥିଲେ ମଧ୍ୟ ପ୍ରମୋଦ ଅତି ନିଖୁଣ ଭାବେ ମୁଖା ପ୍ରସ୍ତୁତ କରି ସେଥିରେ ରଙ୍ଗ ଦେଇ ଜୀବନ୍ତ କରିଥାନ୍ତି। ସେହିପରି ଏହି ବିଲୁପ୍ତ କାଗଜ ମୁଖା ପ୍ରସ୍ତୁତି ସମ୍ପର୍କରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇ ଏହି କଳାପ୍ରତି ଆଗ୍ରହ ପ୍ରକାଶ କରାଉଛନ୍ତି ପ୍ରମୋଦ। ସେହିପରି ନିଜ ଗ୍ରାମର ବେକାର ଯୁବକ ଯୁବତୀଙ୍କୁ ଏହି ମୁଖା ପ୍ରସ୍ତୁତିକୁ ବିନା ପାରିଶ୍ରମିକରେ ଶିଖାଇ ସେମାନଙ୍କୁ ରୋଜଗାର କ୍ଷମ କରାଇବା ପାଇଁ ଲକ୍ଷ ରଖିଛନ୍ତି ପ୍ରମୋଦ। ବର୍ତମାନ କାଗଜ ମୁଖାର ଚାହିଦା ଭଲ ଥିବାରୁ ଏହାକୁ ପେସା ଭାବେ ଗ୍ରହଣ କଲେ ଯୁବଗୋଷ୍ଠି ଭଲ ରୋଜଗାର କରିପାରିବେ ବୋଲି କହିଛନ୍ତି ଶିଳ୍ପୀ ପ୍ରମୋଦ ପଣ୍ଡା। ସେହିପରି ଏହି ଶିଳ୍ପ ଓ ଶିଳ୍ପୀଙ୍କ ଉପରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହି ପାରମ୍ପରିକ କାଗଜ ମୁଖା ଶିଳ୍ପ ପ୍ରତି ଯୁବପିଢ଼ି ଆଗ୍ରହ ବଢ଼ି ପାରନ୍ତା ବୋଲି ଆଶା ରଖିଛନ୍ତି ଶିଳ୍ପୀ ପ୍ରମୋଦ କୁମାର ପଣ୍ଡା ।