ନୂଆଦିଲ୍ଲୀ:ବିପଦରେ କୋଟି କୋଟି ଆଇଫୋନ ଓ ଆଇପ୍ୟାଡ୍ ୟୁଜର୍ସ, କାରଣ ଭାରତ ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି ଇଣ୍ଡିଆନ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍ (CERT-In) ଦେଶର ସମସ୍ତ ଆଇଫୋନ ଓ ଆଇପ୍ୟାଡ୍ ୟୁଜରଙ୍କୁ ଚେତାବନୀ ଜାରି କରିଛନ୍ତି । ଆପଲ୍ର ମୋବାଇଲ ଅପରେଟିଂ ସିଷ୍ଟମ iOS ଓ iPadOSରେ କିଛି ବିପଦଜନକ ଭାଇରସ ଦେଖିବାକୁ ମିଳିଛି ଯାହାକି ବ୍ୟବହାରକାରୀଙ୍କ ଡାଟା ଚୋରି କରିପାରେ । ସାଇବରଠକମାନେ ଏହି ଭାଇରସ ସାହାଯ୍ୟରେ ଡିଭାଇସ ହ୍ୟାକ୍, ବ୍ୟବହାରକାରୀଙ୍କ ସମ୍ବେଦନଶୀଳ ତଥ୍ୟ ଚୋରି କରିପାରନ୍ତି ।
କଣ ରହିଛି ବିପଦ ?
ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ଓ ଫାଇନାନ୍ସିଆଲ ତଥ୍ୟ ଚୋରି କରିପାରନ୍ତି । ଏହାସହିତ ଆପଲ୍ର ସିକ୍ୟୁରିଟି ଫିଚର୍ସକୁ ମଧ୍ୟ ବାଇପାସ୍ କରିପାରନ୍ତି। କ୍ଷତିକାରକ କୋଡ୍ ଚଲାଇପାରନ୍ତି, ନଚେତ୍ ଚରମ ପରିସ୍ଥିତିରେ ଡିଭାଇସଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ କ୍ରାସ୍ କରିପାରନ୍ତି । CERT-In ନିଶ୍ଚିତ କରିଛି ଯେ ଏହି ପ୍ରକାର ହ୍ୟାକିଂ ପୂର୍ବରୁ ସକ୍ରିୟ ସାଇବର ଆକ୍ରମଣରେ ଦେଖିବାକୁ ମିଳିଛି ।
କେଉଁ ଆପଲ୍ ଡିଭାଇସଗୁଡ଼ିକ ଅଧିକ ବିପଦରେ ଅଛି?
ସମ୍ଭାବ୍ୟ ବିପଦର ସମ୍ମୁଖୀନ ହେବାକୁ ଥିବା ଡିଭାଇସଗୁଡ଼ିକ ମଧ୍ୟରେ iOS 18.3ଠାରୁ ପୁରୁଣା ସଫ୍ଟୱେର୍ ଭର୍ସନ ଚଲାଉଥିବା iPhone ଏବଂ 17.7.3 କିମ୍ବା 18.3 ଠାରୁ ପୂର୍ବ iPadOS ଭର୍ସନ ବ୍ୟବହାର କରୁଥିବା iPad ସାମିଲ । ନିମ୍ନରେ ଡିଭାଇସଗୁଡ଼ିକର ତାଲିକା ଦେଖନ୍ତୁ:
• iPhone XS ଓ ଏହାର ପରବର୍ତ୍ତୀ ମଡେଲ
• iPad Pro (ଦ୍ବିତୀୟ ଜେନେରେସନ ଓ ଏହାର ପରବର୍ତ୍ତୀ ମଡେଲ)
• iPad ଷଷ୍ଠ ଜେନେରେସନ ଓ ନୂଆ ମଡେଲ୍
• iPad Air (ତୃତୀୟ ଜେନେରେସନ ଓ ତଦୁର୍ଦ୍ଧ୍ବ)
• iPad Mini ପଞ୍ଚମ ଜେନେରେସନ ଓ ପରବର୍ତ୍ତୀ ଭର୍ସନ
କଣ କରିବେ ୟୁଜର୍ସ ?
ଏହି ବିପଦକୁ ଦୃଷ୍ଟିରେ ରଖି ଆପଲ୍ ସିକ୍ୟୁରିଟି ପ୍ୟାଚ୍ ଜାରି କରିଛି । ଏଥିଲାଗି କମ୍ପାନୀ ସମସ୍ତ ୟୁଜରଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜର iPhone ଓ iPadକୁ ତୁରନ୍ତ ଲାଟେଷ୍ଟ iOS/iPadOS ଭର୍ସନ ସହିତ ଅପଡେଟ୍ କରନ୍ତୁ । ଏହାବ୍ୟତୀତ ୟୁଜର କୌଣସି ଅଜଣା ବା ଅନଧିକୃତ ଆପ୍ ଡାଉନଲୋଡ୍ କରିବାରୁ ଦୂରେଇ ରୁହନ୍ତୁ । କୌଣସି ସନ୍ଦିଗ୍ଧ ଲିଙ୍କ ବା ମେସେଜ ଉପରେ କ୍ଲିକ୍ କରନ୍ତୁ ନାହିଁ । ସମ୍ପ୍ରତି ଅନେକ ୟୁଜର ନିଜ ମୋବାଇଲରେ ହିଁ ଜରୁରୀକାଳୀନ ତଥ୍ୟ ସେଭ୍ କରି ରଖିଥାନ୍ତି । ଏପରି ସ୍ଥିତିରେ ଯଦି ଆପଣଙ୍କ ମୋବାଇଲ ହ୍ୟାକ୍ ହେଉଛି ଆପଣ ବଡ଼ ସମସ୍ୟାର ସମ୍ମୁଖୀନ ହେବେ । ସମ୍ବେଦନଶୀଳ ତଥ୍ୟ ସାଙ୍ଗକୁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଗାଏବ ହୋଇପାରେ । ଏଣୁ ନିଜ ଫୋନ, ଇ-ମେଲ ଓ ଆପ୍ସ ଲାଗି ମଜଭୁତ ପାସୱର୍ଡ ବ୍ୟବହାର କରନ୍ତୁ । ପାସୱର୍ଡରେ ଅକ୍ଷର, ସଂଖ୍ୟା ଓ ସ୍ପେଶାଲ କ୍ୟାରେକ୍ଟରକୁ ସାମିଲ କରନ୍ତୁ । ଏହାସହିତ ଅଲଗା ଅଲଗା ଆପ୍ ଲାଗି ଅଲଗା ପାସୱାର୍ଡର ବ୍ୟବହାର କରନ୍ତୁ । ସର୍ବଦା ନିଜ ମୋବାଇଲର ଲାଟେଷ୍ଟ ସଫ୍ଟୱେର ଅପଡେଟ୍ କରନ୍ତୁ ।
ଯଦି ଆପଣ ମଧ୍ୟ ଉପରେ ଉଲ୍ଲେଖ କରାଯାଇଥିବା ଡିଭାଇସଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ସୁରକ୍ଷା ପାଇଁ ପ୍ରଥମେ ଆପଣଙ୍କର iPhone କିମ୍ବା iPadକୁ ନବୀନତମ ସଂସ୍କରଣରେ ଅପଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ। ଆଇଫୋନ୍ ବ୍ୟବହାରକାରୀମାନେ ନବୀନତମ iOS ସଂସ୍କରଣକୁ ଅପଡେଟ୍ କରିବା ଉଚିତ। ଅନ୍ୟପକ୍ଷରେ, iPad ବ୍ୟବହାରକାରୀମାନେ iPadOS ସଂସ୍କରଣକୁ ଅପଡେଟ୍ କରିବା ଉଚିତ। ମନେରଖନ୍ତୁ ଯେ ଅଜଣା ଉତ୍ସରୁ ଆସୁଥିବା କୌଣସି ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ। ଏହା ବ୍ୟତୀତ କୌଣସି ଅଜଣା ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ।