ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଘୋଷଣା ପରେ ଭାରତୀୟ ବ୍ୟବସାୟୀଙ୍କୁ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ । ଆରମ୍ଭରୁ କପଡ଼ା ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ କରିଛି । ବିଭିନ୍ନ ନାମୀଦାମୀ କମ୍ପାନୀ ଯଥା ଆମାଜନ୍ (Amazon), ୱାଲମାର୍ଟ (Wallmart), ଟାର୍ଗେଟ୍ (Target) ଏବଂ ଗ୍ୟାପ୍ (Gap) ଭଳି କମ୍ପାନୀ ଗୁଡ଼ିକ ବ୍ୟବସାୟ ବନ୍ଦ କରିବାକୁ କହିଛନ୍ତି । ପ୍ରସିଦ୍ଧ କପଡ଼ା କମ୍ପାନୀ ପର୍ଲ ଗ୍ଲୋବାଲ କମ୍ପାନୀକୁ ଏ ନେଇ ରାତିଅଧିଆ ମେଲ୍ ଆସିଥିବା ଜଣାପଡ଼ିଛି ।
ପର୍ଲ ଗ୍ଲୋବାଲ୍ କମ୍ପାନୀ ଗ୍ୟାପ୍ (Gap) ଏବଂ କୋହଲ୍ସ (Kohl’s) ଭଳି କମ୍ପାନୀ ପାଇଁ କପଡ଼ା ପ୍ରସ୍ତୁତ କରେ । ଏହାର ଅଧିକ ବ୍ୟବସାୟ ଆମେରିକା ବଜାରରେ ରହିଛି । କିନ୍ତୁ ଗତକାଲି ଅଧରାତିରେ (ଆମେରିକା ସମୟ ଅନୁସାରେ ସକାଳ) ସାମଗ୍ରୀ ରପ୍ତାନୀ ବନ୍ଦ କରିବାକୁ ବିଭିନ୍ନ କମ୍ପାନୀ ମେଲ୍ କରିଛନ୍ତି । ଯଦି ବର୍ଦ୍ଦିତ ସୀମା ଶୁଳ୍କ ବା ଟାରିଫକୁ ନିଜ ସାମଗ୍ରୀ ମୂଲ୍ୟରେ ସାଲିସ କରିପାରିବ ତାହା ହେଲେ ଆଗକୁ ବ୍ୟବସାୟ ବଢ଼ିବ । କିନ୍ତୁ ବର୍ଦ୍ଧିତ ଟାରିଫ୍ ଉପରେ ବ୍ୟବସାୟ ହୋଇପାରିବ ନାହିଁ । ଟାରିଫ୍ ଶୁଳ୍କ ଲଗାଇଲେ ଭାରତର ସାମଗ୍ରୀର ଦାମ୍ ଆମେରିକାରେ ଅଧିକ ଗୁଣା ବଢ଼ିଯିବ । ଏଥିରେ ଦେଶର ରାଜସ୍ୱ ବଢ଼ିବ କିନ୍ତୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ତେଣୁ ଗ୍ରାହକମାନେ ଭାରତୀୟ ସାମଗ୍ରୀ କିଣିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ । କମ୍ପାନୀକୁ ସାମଗ୍ରୀ ଦାମରେ ହ୍ରାସ କରିବାକୁ କହୁଛନ୍ତି ଆମେରିକୀୟ କମ୍ପାନୀ ।
କିନ୍ତୁ ପର୍ଲ ଗ୍ଲୋବାଲର ପରିଚାଳନା ନିର୍ଦ୍ଦେଶକ ପଲ୍ଲବ ବାନାର୍ଜୀ ଏକ ଗଣମାଧ୍ୟମକୁ କହିଛନ୍ତି ଯେ ଆମର ସାମଗ୍ରୀ କିଣିବାକୁ ଗ୍ରାହକଙ୍କ କଲ୍ ଆସୁଛି । ଆମେ ଆମର କମ୍ପାନୀକୁ ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ସେମାନେ କହୁଛନ୍ତି । କମ୍ପାନୀର ଅନ୍ୟ ଶାଖା ଅନ୍ୟ ଦେଶରେ ଖୋଲିବାକୁ ସେମାନେ ସମୟ ମାଗିଛନ୍ତି । ଯେପରିକି ବାଂଲାଦେଶ, ଇଣ୍ଡୋନେସିା, ଭିଏତନାମ ଏବଂ ଗ୍ୱାତମାଲାରେ କମ୍ପାନୀ ଖୋଲାଯିବ । କାରଣ ଏହି ଦେଶ ଗୁଡ଼ିକରେ ଆମେରିକା କମ୍ ସୀମା ଶୁଳ୍କ ଲାଗୁ କରିଛନ୍ତି । ଆମେରିକା ସରକାର ଭିଏତନାମ ଉପରେ ୨୦% ଟାରିଫ ଲଗାଇଥିବାବେଳେ ଚୀନ ଉପରେ ୩୦ ପ୍ରତିଶତ ଲଗାଇଛନ୍ତି ।
ଭାରତ ଓ ରୁଷର ଘନିଷ୍ଠ ସମ୍ପର୍କକୁ ଆମେରିକା କ୍ଷୁବ୍ଧ ହୋଇଛି । ଟ୍ରମ୍ପ୍ ପ୍ରଥମେ ଭାରତ ଉପରେ ୨୫ % ଟାରିଫ୍ ଘୋଷଣା କରିଥିଲେ । ଠିକ୍ ପରଦିନ ଏହାକୁ ଦ୍ୱିଗୁଣିତ କରିଥିଲେ, ଅର୍ଥାତ୍ ୫୦ % ଟାରିଫ୍ ଘୋଷଣା କରିଥିଲେ । ସେପଟେ ୧୪୦ କୋଟି ଦେଶବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ଉଚିତ ପଦକ୍ଷେପ ନେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ସଫା ସଫା ଶୁଣାଇ ଦେଇଛି ।