ପବିତ୍ର ରାମ ନବମୀ: ମାନବ ଜାତିର କଲ୍ୟାଣ ପାଇଁ ଅାଜି ଜନ୍ମଗ୍ରହଣ କରିଥିଲେ ପ୍ରଭୁ ଶ୍ରୀରାମ
Khabar Odisha:
ଭୁବନେଶ୍ୱର,ଏପ୍ରିଲ ୪(ଖବର ଓଡିଶା): ଆଜି ହେଉଛି ପବିତ୍ର ରାମ ନବମୀ । ପୌରାଣିକ ଧର୍ମଗ୍ରନ୍ଥ ଅନୁସାରେ ଆଜିର ଦିନରେ ଭଗବାନ ରାମ ଜନ୍ମ ଗ୍ରହଣ କରିଥିଲେ । ରାବଣର ଅତ୍ୟାଚାରରେ ଅତିଷ୍ଠ ହୋଇ ଶିବ, ବ୍ରହ୍ମା ଏବଂ ସମସ୍ତ ଦେବଗଣ ପରଂବ୍ରହ୍ମଙ୍କୁ ଆହ୍ୱାନ କରିଥିଲେ। ଦେବତାଙ୍କ ଅନୁରୋଧ କ୍ରମେ ପରଂବ୍ରହ୍ଣ ଧର୍ମ, ମାନବ ଜାତି, ଗୋ, ପୃଥିବୀ ଏବଂ ଦେବତାଙ୍କ ରକ୍ଷା ପାଇଁ ଧରାରେ ଶ୍ରୀରାମ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ଚୈତ୍ର ମାସ ନବରାତ୍ରର ଶେଷ ଦିନରେ ରାମ ନବମୀ ପାଳନ କରାଯାଏ । ଦେଶର ବିଭିନ୍ନ ଅଞ୍ଚଳର ଲୋକ ଭିନ୍ନ ଉପାୟରେ ରାମ ନବମୀ ପୂଜା ଓ ଉପବାସ କରିଥାନ୍ତି ।
 
ଓଡିଶାରେ ମଧ୍ୟ ଲୋକମାନେ ବହୁ ନିଷ୍ଠାର ସହ ରାମ ନବମୀ ବ୍ରତ ପାଳିଥାନ୍ତି । ପୁରୀର ଜଗନ୍ନାଥ ମନ୍ଦିରରେ ରାମ ନବମୀ ପୂଜା ବହୁ ରୀତିନୀତିରେ ପାଳନ ହୋଇଥାଏ । ଏହି ଦିନ ବହୁ ସଂଖ୍ୟାରେ ଲୋକ ଜଗନ୍ନାଥ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି । ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ମଧ୍ୟ ପ୍ରାତଃ ସମୟରୁ ପୂଜା ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥାଏ । ସେହିପରି ଇସ୍କନ୍ ମନ୍ଦିରରେ ବହୁ ଆଡମ୍ବର ସହକାରେ ରାମ ନବମୀ ପାଳନ କରାଯାଏ । ସନ୍ଧ୍ୟା ସମୟରେ ଏହି ସ୍ଥାନ ଗୁଡିକରେ ଲୋକଙ୍କ ବହୁ ସମାଗମ ହୋଇଥାଏ । 
 
ଏହି ପର୍ବଟି ବିଶେଷ ଭାବରେ  ବହୁ ଆଡମ୍ବରରେ ଅଯୋଧ୍ୟାରେ ପାଳନ ହୋଇଥାଏ । ପ୍ରତିବର୍ଷ  ରାମ ନବମୀ ଦିନ ଏଠାରେ ଯାତ୍ରା ଏବଂ ମେଲଣ ଅନୁଷ୍ଠିତ ହୋଇଥାଏ । ରାମ ନବମୀ ଦିନ ମନ୍ଦିରର ପୁରୋହିତ ମାନେ ଭଗବାନ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନଙ୍କୁ ନୂତନ ପୋଷାକରେ ସୁସଜ୍ଜିତ କରି ଏକ ସ୍ଵତନ୍ତ୍ର ବିମାନରେ ପରିଭ୍ରମଣରେ ନେଇଥାନ୍ତି । ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଲୋକ ରାମ ନାମ ଜପିବା ସହ ଭଜନ କୀର୍ତ୍ତନ ଓ ଈଶ୍ୱରଙ୍କ ସ୍ତୁତିରେ ନାଚିଥାନ୍ତି ।
 
ଅଯୋଧ୍ୟାକୁ ବାଦ୍ ଦେଲେ ବିହାରର ସୀତାମାରହି, ତାମିଲନାଡୁର ରାମେଶ୍ୱରମ ଠାରେ ମଧ୍ୟ ଧୁମ ଧାମରେ ରାମ ନବମୀ ଅନୁଷ୍ଠିତ ହୋଇଥାଏ । ଭକ୍ତମାନେ ଦୂର ଦୂରାନ୍ତରୁ ଭଗବାନଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି । ଶ୍ରଦ୍ଧାଳୁ ରାମେଶ୍ୱରମର ସରାଣ୍ଡୁ ନାମକ ପବିତ୍ର ନଦୀରେ ସ୍ନାନ କରିସାରିବା ପରେ ରାମଙ୍କ ଦର୍ଶନ ନିମନ୍ତେ ଯାଇଥାନ୍ତି ।  ତନ୍ମଧ୍ୟରୁ ଅଧିକାଶଂ ଲୋକ ସୂର୍ଯ୍ୟୋଦୟ ପରେ ଆଠ ପ୍ରହରର ଉପବାସ ରଖିଥାନ୍ତି ।
 
ପୌରାଣିକ ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ରାମ ମଧ୍ୟାହ୍ନ ପ୍ରହରରେ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ରାମ ନବମୀ ଦିନ ମଧ୍ୟାହ୍ନ ସମୟରେ ଭଗବାନ ରାମଙ୍କର ପୂଜାର୍ଚ୍ଚନା ହୋଇଥାଏ ।  କେତେକ ପୂଜା ମଣ୍ଡପରେ ଏହି ଦିନ ରାମାୟଣ ଶ୍ଳୋକ ଏବଂ ରାମ ଚରିତ୍ର ମାନସ ମଧ୍ୟ ପାଠ କରାଯାଇଥାଏ। 
  • Tags:

Subscribe

National International State Sports Entertainment