କୁଳପତି ଦୌଡ଼: ପଦ ପାଇଁ ପ୍ରତିଯୋଗିତା
Khabar Odisha:

ଭୁବନେଶ୍ୱର,ଏପ୍ରିଲ୨୩(ଖବର ଓଡ଼ିଶା): ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କୁଳପତିମାନଙ୍କର କାର୍ଯ୍ୟକାଳ ଆଗାମୀ ଜୁନ ୩୦ ସୁଦ୍ଧା ଶେଷ ହେବ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳର ବର୍ତ୍ତମାନ କୁଳପତି ପ୍ରୋଫେସର ପଦ୍ମଜା ମିଶ୍ର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀମତୀ ସ୍ମିତା ଦେବୀଙ୍କ  କାର୍ଯ୍ୟକାଳ ମେ ୩୧ରେ ଶେଷ ହେବାକୁ ଥିବା ବେଳେଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଅଶୋକ କୁମାର ଦାସ ଜୁନ ୩୦ରେ ଅବସର ନେବେ । ସେହିପରି ଫକିର ମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଜୁଲାଇ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳର କୁଳପତିଙ୍କ କାର୍ଯ୍ୟକାଳ ଅଗଷ୍ଟ, ସମ୍ବଲପୁର ବିଶ୍ୱବିଦ୍ୟାଳର କୁଳପତିଙ୍କ କାର୍ଯ୍ୟକାଳ ଅକ୍ଟୋବର ଓ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ମେ'ରେ ଶେଷ ହେବ । ଏହି ୭ଟି ବିଶ୍ୱବିଦ୍ୟାଳୟର ନୂତନ କୂଳପତି ପଦରେ ବସିବା ପାଇଁ କିଛି ବରିଷ୍ଠ ପ୍ରେଫେସର ମନ ବଳାଇଛନ୍ତି । ଇତି ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ କୁଳପତି ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୩ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦ ବସିବା ପାଇଁ ପ୍ରାୟ ୩୦ଜଣ ପ୍ରୋଫେସର ମନ ବଳାଇଛନ୍ତି । କୁଳପତି ମନୋନୟନ କମିଟିର ଗଠନ ବି ହୋଇସାରିଛି । ବାକି ରହିଲା ବିଶ୍ୱବିଦ୍ୟାଳୟର ଏହି ଉଚ୍ଚ ପଦ ପାଇଁ କିଏ ଯୋଗ୍ୟ ବିବେଚିତ ହେଉଛନ୍ତି ।

କୁଳପତି ପଦକୁ ନେଇ ପ୍ରୋଫେସରମାନେ ଯେତିକି ବ୍ୟାକୁଳ ହେଉଛନ୍ତି, ବିଶ୍ୱବିଦ୍ୟାଳୟମାନଙ୍କରେ ବିଶ୍ୱସ୍ତରୀୟ ଶିକ୍ଷା କିପରି ଦିଆଯାଇପାରିବ ସେଥିପ୍ରତି ଅଧିକ ମନ ବଳାଇବା ଦରକାର । ବିଶ୍ୱବିଦ୍ୟାଳୟରେ ଶିକ୍ଷାର ମାନ ଏମିତି ବଢ଼ାଇବାର ଆବଶ୍ୟକତା ଅଛି, ଯେମିତି ବାହାର ରାଜ୍ୟରୁ ଛାତ୍ର-ଛାତ୍ରୀ ଓଡ଼ିଶାରେ ପାଠ ପଢ଼ାଇବାକୁ ମନ ବଳାଇବେ । କୁଳପତି ବିଶ୍ୱବିଦ୍ୟାଳୟ ଭଳି ପରିବାରର ମୁଖ୍ୟ ହୋଇଥିବାରୁ ଏହାର ଉନ୍ନତିରେ ସେ ବଳିଷ୍ଠ ଭୂମିକା ନିଭାଇ ଥାନ୍ତି । ଶିକ୍ଷାରେ ସଂସ୍କାର, ବିଦ୍ୟାର୍ଥୀ ଓ କର୍ମଚାରୀଙ୍କ ଅଭାବକୁ ପ୍ରଶାସନ ଓ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ସମସ୍ୟାର ସମାଧାନ କରିପାରିଲେ ବିଶ୍ୱବିଦ୍ୟାଳୟ ଶିକ୍ଷା ଧାରାରେ ପରିବର୍ତ୍ତନ ଆସିବ ।

ୟୁଜିସି ଦ୍ୱାରା "ଏ+' ମାନ୍ୟତା ପ୍ରାପ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ବାଧାବିଘ୍ନ ଦେଇ ଗତି କରୁଛି । ଏକଦା ସାରା ଦେଶରେ ନାମ କରିଥିବା ଏହି ବିଶ୍ୱବିଦ୍ୟାଳରେ ପାଠପଢ଼ିବାକୁ ଛାତ୍ର-ଛାତ୍ରୀ ମୁହଁ ଫେରାଇଆଣୁଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନ ଦିନକୁଦିନ କମିବା ପରିଲକ୍ଷିତ ହେଉଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର "ନ୍ୟାସନାଲ ଇନଷ୍ଟିଚୁ୍ୟସନାଲ ର୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନ୍ଆଇଆରଏଫ୍)' ପକ୍ଷରୁ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ ନିକଟରେ ପ୍ରକାଶ ପାଇଥିବା ସର୍ଭେ ର୍ୟାଙ୍କିଙ୍ଗ ତାଲିକାରୁ ଏହା ସ୍ପଷ୍ଟ ହେଉଛି । ସମୁଦାୟ ୬ଟି ବିଭାଗକୁ ନେଇ ପ୍ରକାଶିତ "ଶ୍ରେଷ୍ଠ ୧୦୦' ତାଲିକାରେ ଓଡ଼ିଶାରୁ ୪ଟି କେନ୍ଦ୍ରୀୟ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଥିବା ବେଳେ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଶହ ଶହ ବର୍ଷର ଐତିହାସିକ ଶିକ୍ଷାନୁଷ୍ଠାନ ତାଲିକାରୁ ବାଦ୍ ପଡ଼ିଛି ।

ଶ୍ରେଷ୍ଠ ୧୦୦ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ନାମ ନ ରହିବା ପଛରେ ରହିଛି ଅନେକଗୁଡ଼ିଏ କାରଣ । ସେଥିରୁ ମୁଖ୍ୟ ସମସ୍ୟା ହେଉଛି ରାଜ୍ୟର ସରକାରୀ ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମିର ଅଭାବ ଓ ଅନେକଗୁଡ଼ିଏ ପ୍ରଫେସର, ସହଯୋଗୀ ପ୍ରଫେସର ଓ ସାହଯ୍ୟକାରୀ ପ୍ରଫେସର ପଦବୀଗୁଡ଼ିକ ଖାଲି ପଡ଼ିଛି । ରାଜ୍ୟ ସରକାର ଦ୍ୱାରା ପରିଚାଳିତ ବିଶ୍ୱବିଦ୍ୟାଳୟମାନଙ୍କରେ ୭୩ଟି ପ୍ରୋଫେସର , ୧୩୭ଟି ଆସୋସିଏଟ ପ୍ରୋଫେସର  ଓ ୨୯୧ଟି ସହାୟକ ପ୍ରଫେସର ପଦ ଖାଲି ପଡ଼ିଛି । ରାଜ୍ୟର ୭ଟି ପ୍ରମୁଖ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ୧୪୧ଜଣ ପ୍ରଫେସର, ୨୮୩ଜଣ ଆସୋସିଏଟ୍ ପ୍ରଫେସର ଓ ୫୫୧ଜଣ ସହାୟକ ପ୍ରଫେସର ଆବଶ୍ୟକତା ଥିବାବେଳେ, ବର୍ତ୍ତମାନ ପରିପ୍ରେକ୍ଷୀରେ ୬୮ଜଣ ପ୍ରଫେସର, ୧୪୬ଜଣ ଆସୋସିଏଟ୍ ପ୍ରଫେସର ଓ ୩୬୦ଜଣ ସହାୟକ ପ୍ରୋଫେସର କାର୍ଯ୍ୟରତ ଅଛନ୍ତି ।

ସେହିପରି ବିଶ୍ୱବିଦ୍ୟାଳୟମାନଙ୍କରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ ହୋଇ ପାରୁନାହିଁ । ବେସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପଦ୍ଧତି ବ୍ୟତିତ ପାଠାଗାର, ପ୍ରୟୋଗଶାଳା, କମ୍ପ୍ୟୁଟର  ଶିକ୍ଷା ଓ ଗବେଷଣା ପାଇଁ ଉପଯୁକ୍ତ ସୁବିଧା ଥିବାବେଳେ ସରକାରୀ ଶିକ୍ଷାନୁଷ୍ଠାନରେ ତାହା ଛାତ୍ର-ଛାତ୍ରୀଙ୍କୁ ମିଳୁ ନାହିଁ । ଅନ୍ୟ ପକ୍ଷରେ ସରକାରୀ ଶିକ୍ଷାନୁଷ୍ଠାନରେ ଅଧ୍ୟାପକମାନେ ଶିକ୍ଷାଦାନକୁ ବ୍ରତ ମନେ ନକରି, ମନଇଛା ଆସୁଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାରଙ୍କ ଦୁର୍ବଳତାର ସୁଯୋଗ ନେଇ ସରକାରୀ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ପରିଚାଳିତ ହେଉଛନ୍ତି କହିଲେ କିଛି ଭୁଲ ହେବ ନାହିଁ ।

  • Tags:

Subscribe

National International State Sports Entertainment