ଦୁର୍ଦ୍ଦିନରେ ଓଡ଼ିଶା ପର୍ଯ୍ୟଟନ, ବିମୁଖ ହେଉଛନ୍ତି ଦେଶୀ-ବିଦେଶୀ ପର୍ଯ୍ୟଟକ
Khabar Odisha:Odisha-tourist-in-bad-position-tourist-do-not-interest-to-come-Odisha
ଭୁବନେଶ୍ୱର, ଏପ୍ରିଲ ୧(ଖବର ଓଡ଼ିଶା): ସବୁଜ ବନାନୀ, ସୁଦୀର୍ଘ ପର୍ବତମାଳା, କୁଳୁକୁଳୁ ଜଳପ୍ରପାତ, ୪୮୦ କିମି ବିସ୍ତୀର୍ଣ୍ଣ ବେଳାଭୂମି, ପୁରାତନ ମନ୍ଦିର ଓ ଐତିହାସିକ ସ୍ମାରକୀକୁ ନେଇ ଓଡ଼ିଶା ପର୍ଯ୍ୟଟନ । ଅଭୟାରଣ୍ୟ, ଇକୋ-ପର୍ଯ୍ୟଟନ କେନ୍ଦ୍ର, କଳା ଓ ପର୍ବପର୍ବାଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ପଯ୍ୟଟକଙ୍କ ସୁବିଧା ଲାଗି ସରକାର ନିୟନ୍ତ୍ରଣାଧୀନ ଏକ ସଂସ୍ଥା କାମ କରୁଛି, ମାତ୍ର ପରିଚାଳନାରେ ଅବ୍ୟବସ୍ଥା ହେଉ ଅଥବା ଅନ୍ୟ କୈାଣସି କାରଣର ହେଉ, ପର୍ଯ୍ୟଟକଙ୍କୁ ଯେମିତି ସୁବିଧା ମିଳିବା କଥା, ତାହା ମିଳୁ ନ ଥିବା ଅଭିଯୋଗ ହେଉଛି । ହାତଗଣତି କିଛି ପର୍ଯ୍ୟଟନ ସ୍ଥଳ ବ୍ୟତୀତ ୯୦ ପ୍ରତିଶତ ସଂକଟରେ ଚାଲିଛି । ପ୍ରଚାର-ପ୍ରସାରର ଅଭାବ, ପଯ୍ୟଟକଙ୍କ ସୁରକ୍ଷା ପାଇଁ ଉଚିତ ବ୍ୟବସ୍ଥା ନ ହେବା ଓ ନିମ୍ନମାନର ଗମନାଗମନ ଯୋଗୁଁ ଓଡ଼ିଶା ପର୍ଯ୍ୟଟନ ଗୋଆ, ଗୁଜୁରାତ, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ରାଜ୍ୟମାନଙ୍କଠାରୁ ବହୁତ ପଛରେ ।
 
ପର୍ଯ୍ୟଟନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାରେ ଢିଲା ଯୋଗଁ ବିଗତ ଦିନରେ ଦୁର୍ଘଟଣା ଘଟିଥିବା ଉଦାହରଣ ରହିଛି । ତାରାତାରିଣୀ ହେଉଛି ଏହାର ତାଜା ଉଦାହରଣ । ଗଞ୍ଜାମ ଜିଲାର ଏହି ପ୍ରସିଦ୍ଧ ପୀଠରେ ଗାଧେଇବାକୁ ଯାଇ ୨୦୧୫ ଡିସେମ୍ବର ୩୦ରେ ତିନି ଜଣ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଭଦ୍ରକର ଏକ ବେସରକାରୀ ସ୍କୁଲର ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ  ବଣଭୋଜି କରିବାକୁ ତାରାତାରିଣୀ ଯାଇଥିଲେ । ବର୍ତ୍ତମାନ ଓଡ଼ିଶାର ପର୍ଯ୍ୟଟନ କହିଲେ ପୁରୀ, କୋଣାର୍କ, ସାତପଡ଼ା, ଚିଲିକା, ନନ୍ଦନକାନନରେ ସୀମିତ ହୋଇ ରହିଯାଇଛି । ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ପରିଚାଳିତ ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିରକୁ ଦୈନିକ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । କିନ୍ତୁ ଏଠାରେ ଚିକିତ୍ସାର ସୁବ୍ୟବସ୍ଥା ହୋଇପାରି ନାହିଁ । ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପର୍ଯ୍ୟଟକଙ୍କୁ ଚିକିତ୍ସା ପାଇଁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅଥବା ଭୁବନେଶ୍ୱରସ୍ଥିତ ସରକାରୀ ଓ ବେସରକାରୀ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ିଥାଏ । କୋଣାର୍କରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବର ୨୦୧୬ ପୂର୍ବରୁ ନିର୍ମିତ ଡାକ୍ତରଖାନା ପୂରା କାର୍ଯ୍ୟକ୍ଷମ ହେବାକୁ ଆଉ କେତେ ବର୍ଷ ଲାଗିବ, ସେଇ ପ୍ରଶ୍ନର ଉତ୍ତର ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ ।
 
ଭଗବାନ ଶ୍ରୀଜଗନ୍ନାଥଙ୍କ ଉପରେ ଭରସା ରଖି ଭକ୍ତ ଓ ପର୍ଯ୍ୟଟକ ହଜାର ହଜାର କିଲୋମିଟର ଦୂରରୁ ଶ୍ରୀକ୍ଷେତ୍ର ପହଞ୍ଜି ଥାଏ। କିନ୍ତୁ ଏଠାରେ ପହଞ୍ଚିଲା ପରେ ସ୍ଥାନୀୟ ବାତାବରଣ ଦେଖି ବହୁତ ହତାଶ ହେବାକୁ ପଡ଼ିଥାଏ । ଶ୍ରୀଜଗନ୍ନାଥଙ୍କ ଦର୍ଶନଠାରୁ ଆରମ୍ଭ କରି ହୋଟେଲରେ ରହିବା-ଖାଇବା ଓ ବେଳାଭୂମିରେ ବୁଲିବା ସବୁଠାରେ ଭକ୍ତ ଓ ପର୍ଯ୍ୟଟକଙ୍କୁ ଶୋଷଣର ଶିକାର ହେବାକୁ ପଡ଼ିଥାଏ । ପର୍ଯ୍ୟଟକଙ୍କୁ ସୁବିଧା ଓ ସୁରକ୍ଷା ଦେବା ଲାଗି ସରକାରଙ୍କ ନିୟମ କାନୁନ ଠିକ ଭାବରେ ଲାଗୁ ହୋଇ ପାରୁ ନ ଥିବା ଅଭିଯୋଗ ହୋଇଥାଏ ।
 
ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଲ୍ଲୀ, ମୁମ୍ବଇ, ବେଙ୍ଗଲୁରୁ ଭଳି ନଗରୀରେ ରୋଡ଼ ସୋର ଆୟୋଜନ କରାଯାଉଛି । ହେଲେ ସେଠାରୁ କେତେ ପର୍ଯ୍ୟଟକ ଓଡ଼ିଶାକୁ ଆସୁଛନ୍ତିଆମର ପର୍ଯ୍ୟଟନ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଛି । ପର୍ଯଟନସ୍ଥଳକୁ କିଛି ଚଲା-ଚାମୁଣ୍ଡା ନିଜ ଅକ୍ତିଆରେ ରଖିଛନ୍ତି । ଆଉ ଗୋଟେ କଥା ହେଲା, ପର୍ଯ୍ୟଟନ ବିଭାଗ ଭୁବନେଶ୍ୱର, ପୁରୀ, କୋଣାର୍କରେ ପର୍ଯ୍ୟଟକଙ୍କୁ ସହଜରେ ବୁଲାଇବା ପାଇଁ ପ୍ୟାକେଜ ବ୍ୟବସ୍ଥା କରିଛନ୍ତି, ସେହିଭଳି ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ ଓ ଉତ୍ତରରେ ପ୍ୟାକେଜ ବ୍ୟବସ୍ଥା କଲେ, ସେଠାକାର ପର୍ଯ୍ୟଟନ ସ୍ଥଳର ବିକାଶ ହୋଇପାରିବା ସହିତ ପର୍ଯ୍ୟଟକ ସହଜରେ ବୁଲିପାରନ୍ତେ ।
 
୨୦୦୯ରେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ୨୭,୫୨, ୦୫୪ ଦେଶୀ ପର୍ଯ୍ୟଟକ ଓ ୪୫,୬୮୪ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ଗତବର୍ଷ ରାଜ୍ୟକୁ ୫୨,୧୩, ୮୩୫ ପର୍ଯ୍ୟଟକ ଆସିଥିଲେ । ସେଥିରୁ ୫୧,୩୭,୪୭୪ ଦେଶୀ ଓ ୭୬,୩୬୧ ହେଉଛନ୍ତି ବିଦେଶୀ ପର୍ଯ୍ୟଟକ । ୨୦୧୪ ଅପେକ୍ଷା ୨୦୧୫ରେ ୯ପ୍ରତିଶତ ପର୍ଯ୍ୟଟକ ଅଧିକ ଆସିଥିଲେ । ୨୦୧୫ରେ ୬୬,୯୭୧ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲଶ । 
  • Tags:

Subscribe

National International State Sports Entertainment