ଶୀତଳଭଣ୍ଡାରର ଅଭାବ, କ୍ଷତି ସହୁଛି ଉଦ୍ୟାନ ଚାଷୀ
Khabar Odisha:Deficiency-of-cold-store-farmer-bear-lost
ଭୁବନେଶ୍ୱର, ଏପ୍ରିଲ ୫(ଖବର ଓଡ଼ିଶା): ଓଡ଼ିଶାର ୪କୋଟି ୨୦ ଲକ୍ଷ ଲୋକଙ୍କ ମଧ୍ୟରୁ ୬୫ ପ୍ରତିଶତ କୃଷି ଓ କୃଷି ଶ୍ରମିକ ଭାବରେ ଜୀବନ ବିତାଇଥା'ନ୍ତି । ଧାନ ଚାଷ ମୁଖ୍ୟ ଫସଲ ହୋଇଥିଲେ ହେଁ ରାଜ୍ୟରେ ପରିବା ଚାଷ କରି ଅନେକ ପରିବାର ଭରଣ ପୋଷଣ କରୁଛନ୍ତି। କୃଷିଭିତ୍ତିକ ରାଜ୍ୟ ଓଡ଼ିଶାରେ ବର୍ଷକୁ ୮୭,୫୫,୦୦୦ଟନ୍ ପରିବା ଉତ୍ପାଦନ ହେଉଛି । ସେଥିପାଇଁ ଜାତୀୟ ତାଲିକାରେ ପରିବା ଉତ୍ପାଦନରେ ଓଡ଼ିଶାର ସ୍ଥାନ ସପ୍ତମ । ରାଜ୍ୟସରକାରଙ୍କ ଅପାରଗତା ଯୋଗୁଁ ପରିବାକୁ ସୁରକ୍ଷିତ ଭାବରେ ରଖାଯିବାର ବ୍ୟବସ୍ଥା ହୋଇପାରୁ ନାହିଁ ।
 
ରାଜ୍ୟର ଜଳବାୟୁ ଅନୁସାରେ ଗ୍ରାମାଞ୍ଚଳର ଉଦ୍ୟାନ ଚାଷୀ ଶୀତ ଋତୁରେ ଅଧିକ ପରିବା ଉତ୍ପାଦନ କରିଥାନ୍ତି । ଚାଷୀ ଏକ ସମୟରେ ଏତେ ପରିମାଣରେ ପରିବା ଉତ୍ପାଦନ କରିଥାଏ ଯେ, ବଜାରରେ ବିକ୍ରି କରିବା ସମ୍ଭବ ହୋଇ ନ ଥାଏ । ଉତ୍ପାଦିତ ଜିନିଷକୁ କମ୍ ଟଙ୍କାରେ ବିକ୍ରି କରିବା ଯୋଗୁଁ ବହୁତ କ୍ଷତି ସହ୍ୟ କରିବାକୁ ପଡ଼ୁଛି। ପରିସ୍ଥିତି ଏମିତି ହେଉଛି ଯେ, ବେଳେବେଳେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରି ଆସୁନାହିଁ । ରାଜ୍ୟରେ ୧୧୩ଟି ଶୀତଲଭଣ୍ଡାର ରହିଛି । ସେଥିରୁ ୮୦ଟି ଅଚଳ ଅବସ୍ଥାରେ ପଡ଼ିଛି । ଚାଲୁ ରହିଥିବା ଶୀତଳଭଣ୍ଡାର ମଧ୍ୟରୁ ୫ଟ ସରକାରୀ ହୋଇଥିବା ବେଳେ, ୨୮ଟି ହେଉଛି ବେସରକାରୀ ।
 
ଚାଷୀ ଶୀତ ଋତୁରେ ଚାଷୀ ଯେତେବେଳ ପରିବା ଉତ୍ପାଦନ କରେ, ସେହି ସମୟରେ ବଜାରରେ ବିଲାତି କିଲୋ ପ୍ରତି ୫ଟଙ୍କାରେ ବିକ୍ରି କରିଥାଏ । କିନ୍ତୁ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ବିଲାତି କିଲୋ ପ୍ରତି ୩୦ରୁ ୪୦ ଟଙ୍କା ରହିଥାଏ । ଏହି ସମୟରେ ଓଡ଼ିଶା ବଜାରରେ ମିଳୁଥିବା ବିଲାତି ବାହାର ରାଜ୍ୟର ଆମଦାନୀ ହୋଇଥାଏ । ଆମ୍ବ ଓ କଦଳୀ ଚାଷ ପାଇଁ ଆମ ରାଜ୍ୟରେ ଉପକୂଳ ଜଳବାୟୁ ରହିଛି । କିନ୍ତୁ ଦୁଃଖର କଥା ଯେ, ଆମ୍ବ ଓ କଦଳୀକୁ ସାଇତି ରଖିବାକୁ ଆମ ପାଖରେ ଶୀତଲଭଣ୍ଡାର ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଚାଷୀ କମ ଟଙ୍କାରେ ବିକ୍ରି କରିଥାଏ । ଓଡ଼ିଶାର ଆମ୍ବକୁ ବିଦେଶ ବଜାରରେ ବିକ୍ରି କରାଯାଉଛି । ଖାଦ୍ୟ ପ୍ରଶସ୍ତିକରଣ ମାଧ୍ୟମରେ ଆମ୍ବରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିଲେ ରାଜ୍ୟ ସରକାରଙ୍କୁ ଭଲ ରାଜସ୍ୱ ମିଳିବା ସହିତ ଚାଷୀର ଉପକାର ହୋଇ ପାରନ୍ତା । କଦଳୀ ପାଇଁ ଉପଯୁକ୍ତ ଜଳବାୟୁ ଥିଲେ ବି ଆମେ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଛେ । ଗୋଟିଏ ଦିନ ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରୁ କଦଳୀ ଆମଦାନୀ ହେବା ବନ୍ଦ ହୋଇଗଲେ, ତା'ପର ଦିନ ରାଜଧାନୀ ଭୁବନେଶ୍ୱରରେ କଦଳୀ ଡଜନ ୭୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ରାଜ୍ୟ ସରକାରଙ୍କ ଆଳୁ ମିଶନକୁ ସେତେଟା ସଫଳତା ମିଳିନି କହିଲେ ଚଳେ ।
 
ଓଡ଼ିଶାରେ  ଚାଷ ଓ ଚାଷୀର ପ୍ରସଙ୍ଗ ଯେତେବେଳେ ବିଧାନସଭାରେ ଉଠେ ପ୍ରତିଜିଲ୍ଲାରେ ଶୀତଳଭଣ୍ଡାର ସ୍ଥାପନ କରିବାକୁ ସରକାର ଆଶ୍ୱସନା ଦିଅନ୍ତି । ମାତ୍ର ବିଗତ ୧୦ ବର୍ଷରେ ରାଜ୍ୟ ସରକାର କେତୋଟି ଶୀତଲଭଣ୍ଡାର ପ୍ରତିଷ୍ଠା କରିଛନ୍ତି? ରାଜ୍ୟରେ ଥିବା ହାତଗଣତି ଶୀତଲଭଣ୍ଡାର ମଧ୍ୟରୁ ଅନେକ ବନ୍ଦ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି । ଏଗୁଡ଼ିକର ପୁନରୁଦ୍ଧାର ପାଇଁ ସରକାରଙ୍କ କୃଷି ବିଭାଗ ଚିନ୍ତା କରୁ ନାହିଁ ।
 
ଜାତୀୟ କୃଷି ଓ ଗ୍ରାମୀଣ ବ୍ୟାଙ୍କ (ନାବାର୍ଡ) ଦ୍ୱାରା ଆକଳନ କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଉଦ୍ୟାନ କୃଷିରୁ ଅଧିକ ଉତ୍ପାଦନ ଅପେକ୍ଷା ଚାଷୀର କ୍ଷତିକୁ ରୋକାଯାଇ ପାରିଲେ, କୃଷକର ୬ଗୁଣ ଆୟ ବଢ଼ିପାରିବ । କୃଷକ ଗୋଟିଏ ଜମିରେ ଯେତେ ପରିମାଣରେ କମ୍ ଟଙ୍କା ନିବେଶ କରିବ, ଆୟରେ ୧୫ ଭାଗ ବଢ଼ିବ ବୋଲି ନାବାର୍ଡ ଆଶା କରିଛି । ଅମଳ ପରବର୍ତ୍ତୀ କ୍ଷତି କମାଯାଇପାରିଲେ ୬ ପ୍ରତିଶତ ଓ ଉତ୍ପାଦିତ ପରିବା ଉପଯୁକ୍ତ ମୂଲ୍ୟରେ ବିକ୍ରି ହେବା ଦ୍ୱାରା ଚାଷୀର ୧୫ ପ୍ରତିଶତ ଲାଭ କରାଯାଇ ପାରିବ ବୋଲି ନାବାର୍ଡ କହିଛି । ୨୦୧୬-୧୭ ରୁ ୨୦୨୦-୨୧ ମଧ୍ୟରେ ଶୀତଳଭଣ୍ଡାର କ୍ଷମତା ୩,୦୫,୫୦୦ ଟନ୍, ପିଆଜ ମହଜୁଦ୍ ଗୋଦାମ କ୍ଷମତା ୧,୨୫,୦୦୦ଟନ୍, ପ୍ୟାକ୍ ହାଉସ ସଂଖ୍ୟା ୧୨୮୫କୁ ବଢ଼ାଇବା ପାଇଁ ପ୍ରସ୍ତାବ ରଖାଯାଇଛି । ଏଥିପାଇଁ ୨୩,୩୦୧ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିବା ସୂଚନା ମିଳିଛି ।
 
 
  • Tags:

Subscribe

National International State Sports Entertainment