ଭଦ୍ରକ ହିଂସା ସଭ୍ୟ ସମାଜ ପାଇଁ ଅଭିଶାପ
Khabar Odisha:

ଭୁବନେଶ୍ୱର, ଏପ୍ରିଲ ୯(ଖବର ଓଡ଼ିଶା): ହିଂସା ବା ଦଙ୍ଗା ଯୋଗୁଁ ସମାଜର କ୍ଷତି ହେଉଛି । ଗରୀବ, ଖଟିଖିଆ, ଦିନମଜୁରିଆଙ୍କ ଆଖିରୁ ଲୁହ ଝରୁଛି । ରୋଗରେ ପୀଡ଼ିତ ବ୍ୟକ୍ତି ଓ ତା'ର ପରିବାରର ଲୋକଙ୍କ ଦୁଃଖ ଆହୁରି ସାଙ୍ଘାତିକ ହେଉଛି । ଜୀବନ ବଞ୍ଚାଇବାକୁ ରୋଗୀକୁ ଔଷଧ ମିଳୁ ନାହିଁ । ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହୁଥିବାବେଳେ, ଅସହାୟକୁ ଆହା ପଦେ କହିବାକୁ କେହି ନାହିଁ । ଭୋକରେ ଆଉଟୁପାଉଟୁ ହେଉଥିବା ୫ବର୍ଷର ଶିଶୁର ମୁହଁରେ ଖାଦ୍ୟ ଦେବାକୁ ମାଆ ହେଉଛି ଉପାୟ ଶୂନ୍ୟ । ସେହିପରି ଘରୁ ବାହାରକୁ ଗୋଡ କାଢ଼ିବାକୁ ଲୋକଙ୍କର ସାହାସ ହେଉ ନ ଥିବା ବେଳେ, ଅବିଶ୍ୱାସ, ଘୃଣା ଓ ବିଦ୍ୱେଷର ବାତାବରଣର କାୟା ବିସ୍ତାର ହେଉଛି । ଚାରି ଦିନ ହେଲା ଭଦ୍ରକରେ ଦେଖା ଯାଇଥିବା ଦଙ୍ଗାରୁ ଏହା ହୃଦୟଙ୍ଗମ ହେଉଛି । ୨୦୦୮ରେ କନ୍ଧମାଳର ଚକାପାଦ ଆଶ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ହୋଇଥିବା ଦଙ୍ଗାକୁ ପୁଣି ଥରେ ମନେ ପକାଇ ଦେଇଛି ଭଦ୍ରକ ସହରର ସାଂପ୍ରଦାୟିକ ହିଂସା । ଦଙ୍ଗାରେ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ବର୍ଷ ଧରି ମାମଲା କୋର୍ଟରେ ଚାଲିଛି । ଆଜି ବି ନ୍ୟାୟ ଅପେକ୍ଷାରେ ଅଛନ୍ତି ଶହ ଶହ ଆଦିବାସୀ ଜନତା ।

ସୋସିଆଲ ମିଡିଆରେ ଭଗବାନ ଶ୍ରୀରାମ, ଦେବୀ ସୀତା ଓ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କ ଉପରେ ଆଶାଳୀନ ମନ୍ତବ୍ୟକୁ ନେଇ ସୃଷ୍ଟି ଭଦ୍ରକରେ ହୋଇଥିବା ସାଂପ୍ରଦାୟିକ ହିଂସା କର୍ଫ୍ୟୁ ରୂପ ନେଇଛି । ୭୯.୯୪ ପ୍ରତିଶତ ସାକ୍ଷରତା ହାର ଥିବା ସହରକୁ ଜଗି ରହିଛି ପୁଲିସ । ପୂରା ଓଡ଼ିଶା ସ୍ତବ୍ଧ ଥିବାବେଳେ, ଭଦ୍ରକ ସହରର ପ୍ରାୟ ୧ଲକ୍ଷ ୪୦ହଜାର ଲୋକ ଆଉ କେତେ ଦିନ ପର୍ଯ୍ୟନ୍ତ ଏମିତି ଅସୁରକ୍ଷିତ ଅବସ୍ଥାରେ ରହିବେ, ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । କର୍ଫ୍ୟୁ ଲାଗିବା ପୂର୍ବରୁ ସହରର କିଛି ଅସାମାଜିକ ବ୍ୟକ୍ତି ବ୍ୟବସାୟ ପ୍ରତିଷ୍ଠାନ, ଧାର୍ମିକ ସ୍ଥଳରେ ନିଆ ଲଗାଇ ଦେଇଛନ୍ତି । ବ୍ୟବସାୟ ପ୍ରତିଷ୍ଠାନରୁ ଲୁଟ ହୋଇଛି । ଭଦ୍ରକରେ ହିଂସା ହେବା ଘଟଣା ଏହା ନୂଆଁ ନୁହେଁ । ସାଂପ୍ରଦାୟିକା ହିଂସାକୁ ନେଇ ୧୯୯୧ରେ ମଧ୍ୟ ଦଙ୍ଗା ହୋଇଥିଲା । ଏଥର ଭଳି ଆଗରୁ ମଧ୍ୟ ଅନେକ ଧନ-ଜୀବନ କ୍ଷୟକ୍ଷତି ହୋଇଥିଲା । କିନ୍ତୁ ଦୁଃଖର କଥା ଯେ, ଭଦ୍ରକବାସୀ ଏଥିରୁ କିଛି ଶିକ୍ଷା ଗ୍ରହଣ କରି ନ ଥିଲେ । ହିଂସା ହେବା ଦ୍ୱାରା ଭାଇଚାରା ତ ନଷ୍ଟ ହେଉଛି, ତା ସହିତ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ନିଜ ଫାଇଦା ଉଠାଉଛନ୍ତି । କୁହାଯାଉଛି ଯେ, ହିଂସାର ପଛରେ କିଛି ରାଜନୈତିକ ବ୍ୟକ୍ତି ବିଶେଷଙ୍କ ହାତ ରହିଛି ।

ପ୍ରଥମତଃ ହିଂସାକୁ ସମାଜରୁ ବାହାର କରିବାକୁ ହେଲେ ସଚେତନାର ଆବଶ୍ୟକତା ଅଛି । ମନରେ ସଚେତନତା ଜାଗ୍ରତ ହେଲେ ତାହା ସମାଜ କଲ୍ୟାଣ ଦିଗରେ ତାହା ସାହାଯ୍ୟ କରିବ । ସମାଜରେ ଘଟଣା-ଦୁର୍ଘଟଣା ହୁଏ । କିନ୍ତୁ ତାହା ନୁହେଁ ଯେ, କିଛି ଘଟଣାକୁ ନେଇ ଆମେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି କରିବା । ସୋସିଆଲ ମିଡିଆରେ ଶ୍ରୀରାମ-ସୀତା-ହନୁମାନଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେବା ପୂର୍ବରୁ ସେହି ବ୍ୟକ୍ତି ବିଶେଷଙ୍କୁ ଚିନ୍ତା କରିବାର ଥିଲା ଯେ, ସେ ଯାହା କରୁଛନ୍ତି, କେତେ ଠିକ୍ କରୁଛନ୍ତି । ସୋସିଆଲ ମିଡିଆରେ ମନ ଇଛା ମନ୍ତବ୍ୟ ଦେବା ଦ୍ୱାରା ସମାଜର କିଛି ଉପକାର ହେଉ ନାହିଁ ବରଂ କ୍ଷତି ଘଟୁଛି । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଆସିବା ପରେ, ଘଟଣାର ତଦନ୍ତ ତଥା ଅଭିଯୋଗ କରିବାକୁ ଯେତେବେଳେ କିଛି ଲୋକ ପୁଲିସ ପାଖକୁ ଯାଇଥିଲେ, ସେତେବେଳେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଆଶା ଦେବା ବଦଳରେ ଲୋକମାନଙ୍କୁ ହତାଶ କରିଥିଲା । ଯଦି ପୁଲିସ ଜନତାଙ୍କୁ ଏଭଳି ବ୍ୟବହାର କରି ନ ଥାନ୍ତା ତା'ହେଲେ ଆଜି ଭଳି ଦଙ୍ଗା ଦେଖାଯାଇ ନ ଥାନ୍ତା । ଦଙ୍ଗା ଦେଖାଦେବା ପରେ ଭଦ୍ରକକୁ ପୁଲିସ ଛାଉଣୀ ରେ ଭର୍ତ୍ତି କରାଯାଇଛି । କିନ୍ତୁ ଘଟଣା ପୂର୍ବରୁ ଯଦି ଏହା କରାଯାଇଥାନ୍ତା, ତା'ହେଲେ ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି କ୍ଷୟକ୍ଷତି ହୋଇ ନ ଥାନ୍ତା ।

ଦଙ୍ଗା ପରିସ୍ଥିତି ପରେ ଭଦ୍ରକସ୍ଥିତ ବିଶ୍ୱ ହିନ୍ଦୁ ପରିଷଦ ଶାଖା ଓ ମୁସଲିମ୍ ସଂଘ ଶାଖା ଭଦ୍ରକ ସହରରେ ଶାନ୍ତି ଫେରାଇ ଆଣିବାକୁ ଆହ୍ୱାନ ଜଣାଇଥିଲେ । କିନ୍ତୁ ହିଂସା ପୂର୍ବରୁ ସେମାନେ ଯଦି ଟିକିଏ ଭାବିଥା'ନ୍ତେ, ତାହେଲେ ସହରଟା ଆଜି ଯେମିତି ହୁତୁହୁତୁ ହୋଇ ଜଳୁଛି, ତାହା ଏଭଳି ଅଶାନ୍ତି ପରିସ୍ଥିତି ସୃଷ୍ଟି କରି ନ ଥାନ୍ତା । ଗଣତନ୍ତ୍ରର ଭାଗ୍ୟ ବିଧାତା କୁହାଯାଉଥିବା ରାଜନୀତିରେ ଜଡିତ ଥିବା ବ୍ୟକ୍ତି ବିଶେଷମାନେ ଦଙ୍ଗା ପରେ ଶାନ୍ତି ପାଇଁ ଆହ୍ୱାନ ଜଣାଇଥିଲେ, କିନ୍ତୁ ସେମାନେ ଯଦି ହିଂସା ପୂର୍ବରୁ ଘଟଣା ସ୍ଥଳକୁ ପହଞ୍ଚି ସାଧାରଣ ଜନତାଙ୍କ ସହିତ ସମାଧାନର ରାସ୍ତା ବାହାର କରିଥା'ନ୍ତେ, ତାହେଲେ ମଧ୍ୟ ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା । ମୋଟମୋଟା କହିବାକୁ ଗଲେ ଦୁର୍ଘଟଣା ନ ହେବା ପାଇଁ ସମାଜରେ ସଚେତନତାର ଆବଶ୍ୟକତା ଅଛି । ସଚେନତା ବାର୍ତ୍ତା ଦେଇ ଲେକଙ୍କ ମନରେ ଥିବା ହିଂସାତ୍ମକ ମନୋଭାବକୁ ପରିବର୍ତ୍ତନ କରିହେବ ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅାକଳନ ଅନୁଯାୟୀ ଶାରୀରିକ କ୍ଷମତା ଯେତେବେଳେ ଅନ୍ୟ ଉପରେ ପ୍ରୟୋଗ ବା ଚାପ ସୃଷ୍ଟି କରେ ସେତେବେଳେ, ହିଂସା ପରିସ୍ଥିତି ଦେଖାଯାଇଥାଏ । ବ୍ୟକ୍ତିଗତ ଅଥବା ସାମୁହିକ ରୂପରେ ଏହି ଘଟଣାକୁ ହିଂସା କୁହାଯାଉଥିବାବେଳେ, ଗୋଟିଏ ଧର୍ମର ଶୈଳୀ ସହିତ ଆଉ ଗୋଟିଏ ଧର୍ମର ଇଙ୍ଗିତକୁ ସାଂପ୍ରଦାୟିକ ଦଙ୍ଗା କୁହାଯାଉଛି । ହିଂସା ବା ଦଙ୍ଗା ଦେଖାଯିବା ଯୋଗୁଁ ଧନ-ଜୀବନକୁ କ୍ଷତି ପହଞ୍ଚାଉଛି । ଏକ ରିପୋର୍ଟରୁ ଜଣାପଡ଼ିଛି ୨୦୧୩ରେ ଦଙ୍ଗା ଯୋଗୁଁ ବିଶ୍ୱରେ ୧. ୨୮ମିଲିୟନ ଲୋକଙ୍କର ମୃତ୍ୟୁ ହୋଇଛି । ୧୯୯୦ରେ ଏହି ସଂଖ୍ୟା ୧.୧୩ମିଲିୟନ ଥିଲା । ଦଙ୍ଗା ମାମଲରାରେ ଆଫ୍ରିକା ଅନ୍ୟ ଦେଶ ତୁଳନାରେ ବହୁତ ଆଗରେ । ଆଫ୍ରିକାରେ ପ୍ରତି ବର୍ଷ ପ୍ରତି ୧ଲକ୍ଷ ଲୋକରେ ୬୦.୯ ଲୋକ ଦଙ୍ଗା ଯୋଗୁଁ ମୃତ୍ୟୁ ହୋଇଥାଏ ।

କିଛି ବର୍ଷର ଇତିହାସକୁ ସମୀକ୍ଷା କଲେ ଦେଖାଯିବ ଯେ, ଧର୍ମକୁ ନେଇ ଭାରତରେ ଦଙ୍ଗା ଦେଖାଦେଇଛି । ଖ୍ରୀଷ୍ଟିଆନ ଓ ଶିଖ୍ମାନେ ବି ଭାରତୀୟ ଦଙ୍ଗାରେ ସାମିଲ ଥିବାବେଳେ, ହିନ୍ଦୁ ଓ ମୁସଲିମଙ୍କ ନେଇ ଅଧିକାଂଶ ଦଙ୍ଗା ହୋଇଛି । ଭାରତୀୟ ଗଣତନ୍ତ୍ରରେ ଦଙ୍ଗାକାରୀଙ୍କ ପାଇଁ ଆଇନ ରହିଛି, ସତ କିନ୍ତୁ ପ୍ରମାଣ ଅଭାବରୁ ସେମାନେ ଆଇନ ହାତରୁ ଖସି ଯାଉଛନ୍ତି । ଅନେକଗୁଡ଼ିଏ ବେସରକାରୀ ଅନୁଷ୍ଠାନ ସହିତ ଜାତୀୟ ମାନବାଧିକାର କମିଶନ ଓ ଜାତୀୟ ଅଳ୍ପସଂଖ୍ୟକ କମିଶନ ଦଙ୍ଗା ନିୟନ୍ତ୍ରଣ ପାଇଁ କାମ କରୁଛି ।  କିନ୍ତୁ ମଝିରେ ମଝିରେ ଭାରତରେ ଧର୍ମକୁ ନେଇ ଦଙ୍ଗା ଉପୁଜୁଛି । ଭାରତରେ ୨୦୦୫ ରୁ ୨୦୦୯ ମଧ୍ୟରେ ଦଙ୍ଗା ଯୋଗୁଁ ପ୍ରତି ବର୍ଷ ୧୩୦ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ହେଉଛି । ଧାର୍ମିକ ଦଙ୍ଗା ଜନିତ ମୃତ୍ୟୁ ମାମଲାରରେ ମହାରାଷ୍ଟ୍ର ତାଲିକାର ଶୀର୍ଷ ସ୍ଥାନରେ ରହିଥିବା ବେଳେ, ତା' ତଳକୁ ରହିଛି ମଧ୍ୟ ପ୍ରଦେଶ ।

 

 

  • Tags:

Subscribe

National International State Sports Entertainment