ଭୁବନେଶ୍ୱର: ଜୁନ ମାସ ଅଧାରୁ ଅଧିକ ବିତିଯାଇଥିଲେ ମଧ୍ୟ କମୁନି ତାତି। ଖରା, ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ। ବିଶେଷକରି ସ୍କୁଲ ପଢ଼ୁଆ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଦୁଇ ଜିଲ୍ଲାରେ ନିଆଯାଇଛି ଦୁଇ ପ୍ରକାର ନିଷ୍ପତ୍ତି। ଖୋର୍ଦ୍ଧାରେ ଆସନ୍ତାକାଲିଠାରୁ ସକାଳୁଆ ସ୍କୁଲ ଘୋଷଣା ହୋଇଥିବା ବେଳେ ପୁରୀରେ ସ୍କୁଲ ଛୁଟି ଅବଧିକୁ ୨୨ ଜୁନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜୁନ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲରେ ସକାଳୁଆ ପାଠପଢ଼ା ହେବ। ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ କ୍ଲାସ ଚାଲିବ। ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକରେ ପିଇବା ପାଣି ଏବଂ ଓଆରଏସ୍ର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।
ଅନ୍ୟପଟେ ପୁରୀ ଜିଲ୍ଲାରେ ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଜାରି ରହିଥିବାରୁ ସ୍କୁଲ ଛୁଟି ଅବଧିକୁ ବଢ଼ାଯାଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ୨୨ ଜୁନ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଏହି ଆଦେଶ ଜାରି କରିଛନ୍ତି।
ଏହି ସମୟରେ ପାଣିପାଗ ବିଭାଗ ମଧ୍ୟ ଆଉ ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଗ ଜାରି ରହିବ ବୋଲି ସତର୍କ କରିଛି। ଉପକୂଳର ୧୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସମ୍ବଲପୁର ପାଇଁ ହିଟ୍ୱେଭ୍ ଚେତାବନୀ ଜାରି କରାଯାଇଛି।
ତେବେ ଆଶ୍ୱସ୍ତିର କଥା ହେଉଛି, ରାଜ୍ୟରେ ମୌସୁମୀ ବାୟୁ ଏବେ ଧୀରେ ଧୀରେ ସକ୍ରିୟ ହେଉଛି। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଏହା ସମଗ୍ର ଓଡ଼ିଶାକୁ ଛୁଇଁବା ସମ୍ଭାବନା ରହିଛି। ସେହିପରି କାଳବୈଶାଖୀ ଓ ଟ୍ରଫ୍ ଲାଇନ୍ର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିପାରେ। ତଥାପି ବର୍ଷା ଆସିବା ପର୍ଯ୍ୟନ୍ତ ଖରାର ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିବାର ଆଶା କମ୍ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।