ବାଲେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ସଦର ଥାନା ଅନ୍ତର୍ଗତ ରସାଳପୁର ଶାଖା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହ ଅନ୍ୟ ଲୁଟେରା ମାନଙ୍କୁ ଧରିବା ପାଇଁ ମଧ୍ଯ ଜାଲ ବିଛାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ବାପି ମୋଲ୍ଲା, ସ୍ଥାନୀୟ ସହଯୋଗୀ ଜୋହାନ ଅଲ୍ଲୀ ମୋଲ୍ଲା ଓ ସତ୍ୟବାନ ରାଣା।
ସୂଚନା ଥାଉକି ଗତ ଜୁଲାଇ ୧୪ ତାରିଖ ଅପରାହ୍ନ ସମୟରେ ୨ଟି ବାଇକ୍ ରେ ଆସି ୫ ଜଣ ସଶସ୍ତ୍ର ଡକାୟତ ରସାଳପୁର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଭିତରକୁ ପଶିଥିଲେ। ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଆତଙ୍କିତ କରିବା ସହ ବ୍ରାଞ୍ଚ ମ୍ୟାନେଜର ରାଜୀବ ବେହେରାଙ୍କୁ ମାଡ଼ ମାରି ଷ୍ଟ୍ରଙ୍ଗ୍ ରୁମ୍ ଖୋଲିବାକୁ ବାଧ୍ୟ କରିଥିଲେ। ସେହି ସମୟରେ ମ୍ୟାନେଜର ଚାଲାକିର ସହ ସିକ୍ୟୁରିଟି ଆଲାରାମ୍ ବଜାଇ ଦେଇଥିଲେ।
ତେବେ ଏହି ଘଟଣାରେ ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ବାପି ମୋଲ୍ଲା ସହ ସ୍ଥାନୀୟ ସହଯୋଗୀ ଜୋହାନ ଅଲ୍ଲୀ ମୋଲ୍ଲା ଓ ରେକି କରିଥିବା ସତ୍ୟବାନ ରାଣାକୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ନଗଦ ୭ ହଜାର ୫୦୦ ଟଙ୍କା ଏବଂ ଲୁଟ ବେଳେ ବ୍ୟବହୃତ ୱେୟାର କଟର ଜବତ ହୋଇଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।