ଦୁବାଇରେ ଏକ ବସ୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ କୋମାରେ ଓଡିଆ ଶ୍ରମିକ, ଘରୁକୁ ଫେରାଇ ଆଣିବାକୁ ପରିବାର ଲୋକଙ୍କ ନିବେଦନ । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ଖଲ୍ଲିକୋଟ ବ୍ଲକ ମାଣିକପୁର ଗ୍ରାମର ରାଜୁ ମଲ୍ଲିକ । ପରିବାର ପ୍ରତିପୋଷଣ କରିବାକୁ ଗତ ୨୦୨୧ରେ ଦୁବାଇ ଯାଇଥିଲେ। ଦୁବାଇର ଆଲକସ୍ ଆର.ଏଲ.ଏସ ଟେକ୍ନିକାଲ ୱାର୍କ କମ୍ପାନୀରେ ଶ୍ରମିକ ଭାବେ ଏକ କମ୍ପାନୀରେ କାମ କରୁଥିଲେ । ଜୁଲାଇ ମାସ ୨୧ ତାରିଖ ଦିନ କମ୍ପାନୀ ବସରେ ରୁମକୁ ଫେରୁଥିବା ସମୟରେ ହଠାତ୍ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ରାଜୁ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ରାଜୁଙ୍କର ମସ୍ତିସ୍କ ଆଘାତ ସାଙ୍ଗକୁ ହାର୍ଟ ସମସ୍ୟା ଯୋଗୁ ସେ କୋମାରେ ଅଛନ୍ତି ।
ଦୁର୍ଘଟଣା ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ରାଜୁଙ୍କ ପରିବାରକୁ ସୂଚନା ଦେଇ ନଥିଲେ। ଦୀର୍ଘ ସାତ ଦିନ ପରେ ଅନ୍ୟ ଜଣେ ଓଡ଼ିଆ ଶ୍ରମିକ ରାଜୁଙ୍କ ପରିବାର ଲୋକଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇବା ପରେ ପରିବାର ଲୋକେ ଏହି ଦୁଖଃଦ ଖବର ପାଇ ଭାଙ୍ଗିପଡିଛନ୍ତି । ଏପଟେ ରାଜୁଙ୍କ ପରିବାର ଲୋକ ରାଜୁଙ୍କୁ ନିଜ ଗାଁକୁ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ।