ଲକ୍ଷ୍ନୌ: ସୋମବାର ସକାଳେ ଉତ୍ତରପ୍ରଦେଶର କୁଶୀନଗରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ତିଳକ ସମାରୋହରୁ ଫେରୁଥିବା ସମୟରେ ଏକ କାର ଓ ଟ୍ରକ ପରସ୍ପତ ସହ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ନାବାଳକଙ୍କର ଅବସ୍ଥା ସଙ୍ଗୀନ ରହିଛି । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ପଠାଯାଇଛି। ଉଭୟଙ୍କ ବୟସ ୧୨ ଏବଂ ୧୭ ବର୍ଷ ।
ମୃତକମାନେ ହେଲେ କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଭାଲୁହିର ଗ୍ରାମର ରାମ ବେଲାସ (୬୫), ତାଙ୍କ ଦୁଇ ପୁଅ କନହୈୟା ପ୍ରସାଦ (୪୫) ଓ ରାମ ମିଲନ (୩୫), ମୃଦୁଲ ମିଶ୍ର (୩୭), ରଣଜୟ ଗୁପ୍ତା (୩୫) ଏବଂ ମିଥଲେଶ ଗୁପ୍ତା (୨୨) । ସେହିପରି ରାମ ମିଲଟନଙ୍କ ଦୁଇ ପୁଅ ଆୟୁଷ (୧୨) ଏବଂ ଆର୍ଯ୍ୟନ (୧୭) ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କନହୈୟା ପ୍ରସାଦଙ୍କ ପରିବାର ସଦସ୍ୟ ଓ ଅନ୍ୟମାନେ ସମସ୍ତେ ଜଣେ ସମ୍ପର୍କୀୟଙ୍କ ତିଳକ ସମାରୋହରେ ଯୋଗଦେବା ପାଇଁ ଦେବରାଜ ପିପ୍ରାକୁ ଯାଇଥିଲେ । ସେଠାରୁ ଏକ ଇକୋ କାରରେ ବିଳମ୍ବିତ ରାତିରେ ଫେରୁଥିବାବେଳେ କୋତୱାଲି ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ, କାରଟି ସାମ୍ନାରୁ ଆସୁଥିବା ଏକ ଟ୍ରଲର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଦ୍ରୁତ ଗତି ଯୋଗୁଁ କାରଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା।
ଘଟଣାସ୍ଥଳରେ ଚିତ୍କାର ଏବଂ ପାଟିତୁଣ୍ଡ ହୋଇଥିଲା। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ତୁରନ୍ତ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାରରେ ଫସି ରହିଥିବା ଲୋକଙ୍କୁ ବାହାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଦୁଇ ନାବାଳକଙ୍କ ଅବସ୍ଥା ଗୁରୁତର ଥିଲା। ଉଭୟଙ୍କୁ ପ୍ରଥମେ ମେଡିକାଲ କଲେଜ ଏବଂ ପରେ ଗୋରଖପୁରକୁ ସ୍ଥାନାନ୍ତର କରାଯାଇଛି ।
ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରିଛନ୍ତି । ସମସ୍ତ ମୃତଦେହକ ବ୍ୟବଚ୍ଛେଦ କରିବାକୁ ପଠାଇଦିଆଯାଇଛି । ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।