ନୂଆଦିଲ୍ଲୀ, ଡିସେମ୍ବର୦୩(ଖବର ଓଡ଼ିଶା):
ଦୁର୍ନୀତି କରି ଦେଶ ଛାଡ଼ି ପଳାୟନ କରିଥିବା ପଳାତକଙ୍କ ବିଷୟରେ ମଙ୍ଗଳବାର କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି। ଆର୍ଥିକ ଅପରାଧ କରି ଦେଶରୁ ଫେରାର ହୋଇଥିବା ୫୧ ଜଣ ମୋଟ୍ ୧୭,୯୦୦ କୋଟି ଟଙ୍କା ବ୍ୟାଙ୍କରୁ ଆଣି ପରିଶୋଧ କରି ନାହାନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ରାଜ୍ୟସଭାରେ ‘ପଳାତକ ଆର୍ଥିକ ଅପରାଧୀ’ ସଂପର୍କିତ ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(ସିବିଆଇ)ର ତଥ୍ୟ ଅନୁଯାୟୀ, ଅଦ୍ୟାବଧି ୬୬ ମାମଲାରେ ୫୧ ଜଣ ଘୋଷିତ ଅପରାଧୀ ଅନ୍ୟ ଦେଶକୁ ଫେରାର ହୋଇ ଯାଇଛନ୍ତି।
ସିବିଆଇର ରିପୋର୍ଟ ଅନୁଯାୟୀ, ଏହି ସବୁ ମାମଲାରେ ପଳାତକ ଆର୍ଥିକ ଅପରାଧୀଙ୍କ ଦ୍ଵାରା ମୋଟ୍ ୧୭,୯୪୭.୧୧ କୋଟି ଟଙ୍କାର ଅନିୟମିତତା ହୋଇଛି। ଏହି ସବୁ ଘଟଣାରେ କେତେ ଜଣଙ୍କୁ ଋଣ ଦେବାରେ କୋହଳ କରାଯାଇଥିଲା ଏବଂ କେତେ ଜଣଙ୍କ ଋଣ ଛାଡ଼ କରାଯାଇଥିଲା। ଏହି ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏହାର ଯାଞ୍ଚ ଜାରି ରହିଛି ଏବଂ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
୫୧ ପ୍ରତ୍ୟର୍ପଣ ଅନୁରୋଧ ଉପରେ କାମ ଜାରି
ଠାକୁର କହିଛନ୍ତି ସିବିଆଇ ଘୋଷିତ ଅପରାଧୀ ଓ ଫେରାର ଲୋକଙ୍କୁ ଦେଶକୁ ଆଣିବା ସମ୍ବନ୍ଧରେ ୫୧ ପ୍ରତ୍ୟର୍ପଣ ଉପରେ କାମ କରୁଛି, ଯାହା ସଂପ୍ରତି ବିଭିନ୍ନ ପର୍ଯ୍ୟାୟରେ ପଡ଼ି ରହିଛି। କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ବୋର୍ଡ ଓ ସୀମା ଶୁଳ୍କ ବିଭାଗ(ସିବିଆଇସି) ଛଅ ଜଣ ପଳାତକ ଆର୍ଥିକ ଅପରାଧୀଙ୍କ ବେଆଇନ ଭାବେ ଦେଶରୁ ପଳାୟନ କରିଥିବା ରିପୋର୍ଟରେ ଦର୍ଶାଇଛି।
ମନ୍ତ୍ରୀ କହିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଳାତକ ଆର୍ଥିକ ଅପରାଧୀ ଅଧିନିୟମ, ୨୦୧୮ ଆଧାରରେ ଅଦାଲତରେ ୧୦ ଅପରାଧୀଙ୍କ ବିରୋଧରେ ଆବେଦନ କରିଛି। ଆଠ ଜଣ ବ୍ୟକ୍ତିଙ୍କ ପାଇଁ ଇଡି ଦ୍ଵାରା ପଠାଯାଇଥିବା ପ୍ରତ୍ୟର୍ପଣ ଅନୁରୋଧ ସମ୍ବନ୍ଧରେ ଇଣ୍ଟରପୋଲ୍ ଦ୍ଵାରା ରେଡ୍ କର୍ଣ୍ଣର ନୋଟିସ୍ ମଧ୍ୟ ଜାରି ହୋଇଛି।