ୱାସିଂଟନ୍: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇଛନ୍ତି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଲ ପରିବହନ ଜଳପଥ ‘ହୋର୍ମୁଜ ପ୍ରଣାଳୀ’ (Strait of Hormuz) କୁ ନେଇ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଆମେରିକାର ଅନୁମତି ବିନା ଏହି ଜଳପଥ ଦେଇ କିଛି ମଧ୍ୟ ଯାଇପାରିବ ନାହିଁ। ଟ୍ରମ୍ପଙ୍କ ଏହି କଡ଼ା ବୟାନ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧମୁହଁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି।
ହ୍ୱାଇଟ୍ ହାଉସରେ ଗଣମାଧ୍ୟମ ସହ କଥାବାର୍ତ୍ତା କଲାବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଇରାନ ସହିତ ବର୍ତ୍ତମାନ ଆଲୋଚନା ଜାରି ରହିଛି ଏବଂ ଏହା ତେହେରାନ ପାଇଁ ଏକ 'ଶେଷ ସୁଯୋଗ'। ଟ୍ରମ୍ପ ଏକ ଦୁଇ-ପର୍ଯ୍ୟାୟ ରୋଡମ୍ୟାପ୍ ସାମ୍ନାକୁ ଆଣି କହିଛନ୍ତି ହୋର୍ମୁଜ ପ୍ରଣାଳୀକୁ ବିନା ସର୍ତ୍ତରେ ସମସ୍ତଙ୍କ ପାଇଁ ଖୋଲିବାକୁ ପଡ଼ିବ।ଇରାନର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ।
"ଆମେ ନଚାହିଁଲେ କିଛି ଯାଇପାରିବ ନାହିଁ"
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇରାନର ଦ୍ୱିମୁଖୀ ନୀତିକୁ କଡ଼ା ସମାଲୋଚନା କରି ଟ୍ରମ୍ପ ଲେଖିଛନ୍ତି ଯେ, ଇରାନ ନେତୃତ୍ୱ ଗୁପ୍ତରେ ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁଥିବା ବେଳେ ବାହାରେ ଏହାକୁ ଅସ୍ୱୀକାର କରୁଛି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଆମେରିକାର ନିୟନ୍ତ୍ରଣ ବିନା ହୋର୍ମୁଜ ପ୍ରଣାଳୀ ଦେଇ କୌଣସି ଜିନିଷ ଯାଇପାରିବ ନାହିଁ।
ଇରାନର ପ୍ରତିକ୍ରିୟା
ଅନ୍ୟପକ୍ଷରେ, ଇରାନ ବୈଦେଶିକ ମନ୍ତ୍ରଣାଳୟ ଏହି ପ୍ରତ୍ୟକ୍ଷ ଆଲୋଚନାକୁ ଖଣ୍ଡନ କରିଛି। ତେହେରାନ ପକ୍ଷରୁ କୁହାଯାଇଛି ଯେ, ଆମେରିକା ସହ ସେମାନଙ୍କର କୌଣସି ସିଧାସଳଖ କଥାବର୍ତ୍ତା ଚାଲିନାହିଁ, ବରଂ ଜଳପଥରେ ସୁରକ୍ଷିତ ଯାତାୟାତ ପାଇଁ ଓମାନ ମାଧ୍ୟମରେ କିଛି ପ୍ରକ୍ରିୟା ଚାଲିଛି।