ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବଜ୍ରପାତ ଆଉ ଏକ ଜୀବନ ନେଇଛି। ଲଇକେରା ଥାନା ଅନ୍ତର୍ଗତ ବାବୁଚିପିଡିହି ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ରମେଶ ଚନ୍ଦ୍ର ପଟେଲଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି। ଘଟଣା ପରେ ବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ରମେଶ ଚନ୍ଦ୍ର ପଟେଲ ସ୍କୁଲ ଆଗରେ ଥିବା ଏକ ଗଛ ତଳେ ବସିଥିଲେ। ଏହି ସମୟରେ ହଠାତ୍ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ସେ ଚୌକିରୁ ତଳକୁ ପଡ଼ିଯାଇଥିଲେ। ଘଟଣା ଦେଖି ସହକର୍ମୀ ଶିକ୍ଷକମାନେ ଓ ପ୍ରଧାନ ଶିକ୍ଷକ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଲଇକେରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବର୍ଷା ଋତୁରେ ବଜ୍ରପାତ ଘଟଣା ବୃଦ୍ଧି ପାଉଥିବାରୁ ପାଣିପାଗ ବିଭାଗର ସତର୍କ ସୂଚନାକୁ ଗୁରୁତ୍ୱ ଦେବା ସହ ଖୋଲା ସ୍ଥାନ ଓ ଗଛ ତଳେ ଆଶ୍ରୟ ନନେବାକୁ ପ୍ରଶାସନ ପରାମର୍ଶ ଦେଇଛି।