ଭୁବନେଶ୍ୱର : ରାଜ୍ୟରେ ଅଣାୟତ ହେଲାଣି ତାତି। ଗୁଳିଗୁଳି ସାଙ୍ଗକୁ ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେଲେଣି ରାଜ୍ୟବାସୀ। ଗତକାଲି ୧୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୫.୨ ଡିଗ୍ରୀ ସହ ଝାରସୁଗୁଡ଼ା ପୁଣି ଥରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତେବେ ଆସନ୍ତା୨୭ ପର୍ଯ୍ୟନ୍ତ ଗୁଳୁଗୁଳିରୁ ନିସ୍ତାର ନାହିଁ। ୨୮ ପରେ ଏହି ସ୍ଥିତିରେ ବ୍ରେକ ଲାଗିବା ସମ୍ଭାବନା ରହିଛି। ତେବେ ଆଜି ମଧ୍ୟ ଅସହ୍ୟ ତାତି ଅନୁଭୂତ ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ତିନୋଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ୍ ପାଇଁ ସତର୍କ ସୂଚନା ଜାରି କରିଛି । ଏହି ତିନୋଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଆଜି ଝାରସୁଗୁଡ଼ା, ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଏବଂ ବୌଦ୍ଧରେ ପାରଦ ୪୭ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ତେଣୁ ତଟିକୁ ଦୃଷ୍ଟିରେ ରଖି ବାହାରକୁ ବାହାରିବା ସମୟରେ ପାଣି ବୋତଲ, ଜୋତା, ଛତା ଏବଂ କଳା ଚଷମା ବ୍ୟବହାର କରିବା ପାଇଁ ଉପଦେଶ ଦିଆଯାଇଛି।
ତେବେ ମେ ୨୯ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାୟୁ ଚଳାଚଳ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ମେ ୩୦ ରୁ ଜୁନ୍ ୨ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରାକ୍-ମୌସୁମୀ ବର୍ଷା ବା କାଳବୈଶାଖୀର ପରିମାଣ ବଢ଼ିବ। ଯାହାଫଳରେ ରାଜ୍ୟବାସୀ ତାତିରୁ ତ୍ରାହି ପାଇବେ।