ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା ୪୯୮ଏର ବଢିଲା ପରିଧି। ଏହା ଅନୁଯାୟୀ, ଲିଭ୍ ଇନ ରିଲେସନସିପରେ ରହୁଥିବା ମହିଳାଙ୍କୁ ମଧ୍ୟ ମିଳିବ ପତ୍ନୀର ଅଧିକାର। ଉଚ୍ଚତମ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଲିଭ୍ ଇନ ରିଲେସନଶିପରେ ରହୁଥିବା କୌଣସି ବି ବ୍ୟକ୍ତି ଉପରେ ନିଜ ମହିଳା ବାନ୍ଧବୀଙ୍କ ଉପରେ ନିର୍ଯାତନା ପାଇଁ ମୋକଦ୍ଦମା ଚଲା ଯାଇ ପାରିବ। ଏହା ସେହି କ୍ଷେତ୍ରରେ ଲାଗୁ ଯଦି ଉଭୟଙ୍କ ସଂପର୍କ ବିବାହ ପରି ଥିବ କିମ୍ବା ଦୁଇ ପକ୍ଷ ପରସ୍ପରକୁ ବିବାହ କରିବାକୁ ଇଚ୍ଛା କରୁଥିବେ।
ବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ଏନ କୋଟିଶ୍ଵରଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ପୀଠ କହିଛନ୍ତି, ଆଇନଗତ ଭାବେ ବିବାହ କରି ନ ଥିଲେ ବି ଏମିତି ସଂପର୍କ ଉପରେ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮ଏ ଲାଗୁ ହେବ। କୋର୍ଟ କହିଛନ୍ତି, ଧାରା ୪୯୮ଏ ସେହି ଲିଭ୍ ଇନ ସଂପର୍କ ଉପରେ ଲାଗୁ ହେବ ଯେଉଁମାନେ ବୈବାହିକ ପରି ସଂପର୍କକୁ ମାନୁଥିବେ ଏବଂ ସମ୍ମାନ ଦେଉଥିବେ କିମ୍ବା ପରସ୍ପରକୁ ବିବାହ କରିବା ପାଇଁ ଇଚ୍ଛା ରଖିଥିବେ।
ର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତ୍ୟେକ ଲିଭ୍ ଇନ ରିଲେସନଶିପ ଉପରେ ଏହି ଦଣ୍ଡାତ୍ମକ ପ୍ରାବଧାନ ଲାଗୁ ହେବ ନାହିଁ। ଏମିତି ମାମଲାରେ ପ୍ରମାଣ କରିବାର ପ୍ରାରମ୍ଭିକ ଦାୟିତ୍ଵ ସେହି ମହିଳାଙ୍କ ହେବ ଯିଏ ଆଇନଗତ ସୁରକ୍ଷା ଚାହୁଁଥିବେ।ତାଙ୍କୁ ଏହା ମଧ୍ୟ ଜଣାଇବାକୁ ପଡ଼ିବ ଯେ, ଉଭ ପକ୍ଷଙ୍କ ବିବାହ କରିବାକୁ ଇଚ୍ଛା ଥିଲା।
ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ନିଜ ରାୟରେ ଦର୍ଶାଇଛନ୍ତି ଯେ, ଯଦି ଜଣେ ପୁରୁଷ ଓ ମହିଳା ଦୀର୍ଘ ଦିନ ଧରି ସ୍ୱାମୀ-ସ୍ତ୍ରୀ ଭଳି ଏକାଠି ରହୁଛନ୍ତି, ତେବେ ମହିଳାଜଣଙ୍କୁ ନିର୍ଯାତନାରୁ ସୁରକ୍ଷା ପାଇବାର ପୂର୍ଣ୍ଣ ଅଧିକାର ରହିଛି। କେବଳ ବିବାହର ଆନୁଷ୍ଠାନିକ ପ୍ରମାଣପତ୍ର ନାହିଁ ବୋଲି ଶାଶୂଘର କିମ୍ବା ପୁରୁଷ ପାର୍ଟନର ନିର୍ଯାତନା ଦେଇ ଖସିଯାଇ ପାରିବେ ନାହିଁ।
ମହିଳାଙ୍କ ସୁରକ୍ଷା ପାଇଁ ଆଇନଗତ ସ୍ପଷ୍ଟତା:
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଧାରା ୪୯୮-ଏ ର ମୂଳ ଉଦ୍ଦେଶ୍ୟ ହେଉଛି ଜଣେ ମହିଳାଙ୍କୁ ଘରୋଇ ହିଂସା ଓ ନିର୍ଯାତନାରୁ ସୁରକ୍ଷା ଦେବା। ଯେଉଁ କ୍ଷେତ୍ରରେ ଦମ୍ପତି ସମାଜ ଆଗରେ ସ୍ୱାମୀ-ସ୍ତ୍ରୀ ଭାବେ ରହିଆସୁଛନ୍ତି, ସେଠାରେ ମହିଳାଜଣଙ୍କ ନିଜର ଆଇନଗତ ସୁରକ୍ଷା ଦାବି କରିପାରିବେ ଏବଂ ନିର୍ଯାତନା ଦେଉଥିବା ପାର୍ଟନରଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇପାରିବ।