ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଶେଷରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ବିବାଦ ଘେରରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଦୟାଲ ଗଙ୍ଗୱାରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ବାଲିଅନ୍ତା ଅଞ୍ଚଳର ଯୁବକ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁ ପଛରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ସମ୍ପୃକ୍ତି ଥିବା ନେଇ ସୌମ୍ୟଙ୍କ ପରିବାର ଲୋକେ ପ୍ରଥମରୁ ହିଁ ଦାବି କରି ଆସୁଥିଲେ। ସୌମ୍ୟଙ୍କ ମାଆ ଅଭିଯୋଗ ଆଣିଥିଲେ ଯେ, ଉକ୍ତ ପ୍ରଭାବଶାଳୀ ପୋଲିସ ଅଧିକାରୀ ଜଣକ ତାଙ୍କ ପୁଅକୁ ଦୀର୍ଘ ଦିନ ଧରି ପ୍ରବଳ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଉଚ୍ଚ ପଦବୀର ଅପବ୍ୟବହାର କରି ସୌମ୍ୟଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେବାକୁ ଚେଷ୍ଟା କରାଯାଇଥିଲା, ଯାହା ପରବର୍ତ୍ତୀ ସମୟରେ ତାଙ୍କ ମୃତ୍ୟୁର କାରଣ ସାଜିଥିଲା।
ଏହି ହାଇପ୍ରୋଫାଇଲ୍ ମାମଲାକୁ ଚାପି ଦେବା ପାଇଁ ଚେଷ୍ଟା କରାଯାଉଥିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମାମଲାଟି ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ପାଖକୁ ମଧ୍ୟ ଯାଇଥିଲା। ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ଶେଷରେ ରାଜ୍ୟ ସରକାର ଏହି ଦୃଢ଼ ପଦକ୍ଷେପ ନେଇଛନ୍ତି।
ଅଡ଼ୁଆରେ ଆଇପିଏସ୍ ଗଙ୍ଗୱାର
ସରକାରଙ୍କ ଏହି ବଡ଼ ଆକ୍ସନ ପରେ ଏବେ ଦୟାଲ ଗଙ୍ଗୱାରଙ୍କ ଅସୁବିଧା ଆହୁରି ବଢ଼ିବାକୁ ଯାଉଛି। ପୂର୍ବରୁ ତାଙ୍କୁ ଓଏସଡି (OSD) ଭାବେ ବଦଳି କରାଯାଇଥିବା ବେଳେ ଏବେ ସସପେଣ୍ଡ କରାଯିବା ପରେ ମାମଲାର କ୍ରାଇମବ୍ରାଞ୍ଚ କିମ୍ବା ଉଚ୍ଚସ୍ତରୀୟ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହେବ। ସରକାରଙ୍କ ଏହି କଠୋର ଆଭିମୁଖ୍ୟ ପରେ ସୌମ୍ୟଙ୍କ ପରିବାର ଶେଷରେ ନ୍ୟାୟ ପାଇବ ବୋଲି ଆଶା ସଞ୍ଚାର ହୋଇଛି।