ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ସୋମବାର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଭୁଲ ଇଞ୍ଜେକ୍ସନ ଓ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନାରେ ହଙ୍ଗାମା କରିଥିଲେ। ଅନ୍ୟପଟେ ମୃତକଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ପାଣିସିଆଲି ଗାଁର ପ୍ରଶାନ୍ତ ତ୍ରିପାଠୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଓ ଅବହେଳାପୂର୍ଣ୍ଣ ଚିକିତ୍ସାକୁ ଦାୟୀ କରି ତୀବ୍ର ପ୍ରତିବାଦ କରିଥିଲେ।
ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ମୃତକଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଜଣେ ଡାକ୍ତର ଆହତ ହୋଇଥିବା ଅଭିଯୋଗ କରି ଡାକ୍ତରଖାନା ପକ୍ଷରୁ ସୋନପୁର ଥାନାରେ ଏତଲା ଦାଖଲ କରାଯାଇଛି ବୋଲି ଏଡିଏମଓ ସୂଚନା ଦେଇଛନ୍ତି।
ଅନ୍ୟପଟେ ମୃତଦେହର ପୋଷ୍ଟମର୍ଟମ ସମ୍ବଲପୁରରେ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବାରୁ ପରିବାର ଲୋକଙ୍କ ଅସନ୍ତୋଷ ଆହୁରି ବଢ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ତେବେ ରୋଗୀଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ।