ଖବର ଓଡିଶା : 26/05/2023
ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ବଡ ଖୁଲାସା । ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ଗୋପାଳ ଦାସ ହତ୍ୟା କରିଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଉଲ୍ଲେଖ କରିଥିବା ଜଣାପଡିଛି । ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠା ସମ୍ବଳିତ ଏକ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।
କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରିଲିମିନାରୀ ଚାର୍ଜସିଟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ସୂଚନା ମିଳିଛି। ପୂର୍ବ ଶତ୍ରୁତା କାରଣରୁ ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି। ଏହାସହ ଚାର୍ଜସିଟ୍ରେ ଦଫା ୩୦୭, ୩୦୨ ଓ ୨୭(୧) ଆର୍ମସ ଆକ୍ଟ ଲାଗିଛି। ତେବେ ଏହି ଦଫା ଗୋପାଳ ନାଁରେ ଲାଗିଛି ନା ଆଉ କାହା ନାଁରେ ଲାଗିଛି ତାହା ଜଣାପଡ଼ି ନାହିଁ। ନବ ଦାସ ହତ୍ୟାକାଣ୍ଡରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ଚାର୍ଜସିଟ୍ରେ ଉଲ୍ଲେଖ ରହିଛି। ତେବେ ଚାର୍ଜସିଟରେ ଆଉ ସବୁ କ’ଣ ଉଲ୍ଲେଖ ରହିଛି ତାହା ପୂରା ସ୍ପଷ୍ଟ ହୋଇନାହିଁ। ଏହି ଚାର୍ଜସିଟକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ଗତ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ।