ପୁରୀ: ଭକ୍ତି ଓ ଉତ୍ସାହର ସହ ସମ୍ପନ୍ନ ହୋଇଛି ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ପୁଣିଥରେ ଶ୍ରୀମନ୍ଦିରର ରତ୍ନବେଦୀରେ ବିରାଜମାନ କରିଛନ୍ତି। ଏହାସହିତ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ ଏବଂ ପ୍ରସିଦ୍ଧ ରସଗୋଲା ନୀତି ସହ ନୀଳାଦ୍ରିବିଜେ ପର୍ବ ସମ୍ପୂର୍ଣ୍ଣ ହୋଇଛି।
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ନୀଳାଦ୍ରିବିଜେ ପୂଜାନୀତି ଆରମ୍ଭ ହୋଇଥିଲା। ମୁଦିରସ୍ତ ସେବକ ତିନିରଥରେ ପୁଷ୍ପାଞ୍ଜଳି ଅର୍ପଣ କରିବା ପରେ ବିଜେ କାହାଳୀ ବାଜିଥିଲା। ଘଣ୍ଟ, ଘଣ୍ଟୁଆଙ୍କ ନାଦ ଏବଂ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସିଂହଦ୍ୱାର ପରିବେଶ। ପ୍ରଥମେ ମହାଜନ ସେବକମାନେ ତାଳଧ୍ୱଜ ରଥରୁ ଶ୍ରୀରାମକୃଷ୍ଣ ଏବଂ ନନ୍ଦିଘୋଷ ରଥରୁ ଶ୍ରୀମଦନମୋହନଙ୍କୁ ଶ୍ରୀମନ୍ଦିରକୁ ବିଜେ କରାଇଥିଲେ। ପରେ ଦର୍ପଦଳନ ରଥରୁ ଚକ୍ରରାଜ ସୁଦର୍ଶନଙ୍କୁ ଅଣାଯାଇଥିଲା। ପରମ୍ପରା ମୁତାବକ ପ୍ରଥମେ ବଡ଼ଠାକୁର ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ସର୍ବଶେଷରେ କାଳିଆଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।
ଲକ୍ଷ୍ମୀ-ନାରାୟଣ ବଚନିକା ଓ ରସଗୋଲା ନୀତି
ରଥଯାତ୍ରା ସମୟରେ ମହାପ୍ରଭୁ ସାଙ୍ଗରେ ନ ନେବାରୁ ମା' ମହାଲକ୍ଷ୍ମୀ ଅଭିମାନ କରି ବସିଥିଲେ। ଯେତେବେଳେ ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର ନିକଟରେ ପହଞ୍ଚିଲେ, ସେତେବେଳେ ମା' ଲକ୍ଷ୍ମୀ ସିଂହଦ୍ୱାର କବାଟ ବନ୍ଦ କରିଦେଇଥିଲେ। ଏହାପରେ ଜୟବିଜୟ ଦ୍ୱାର ସମ୍ମୁଖରେ ଠାକୁର ଏବଂ ଠାକୁରାଣୀଙ୍କ ମଧ୍ୟରେ ପ୍ରସିଦ୍ଧ 'ଲକ୍ଷ୍ମୀ-ନାରାୟଣ ବଚନିକା' (ମାନଭଞ୍ଜନ ନୀତି) ଅନୁଷ୍ଠିତ ହୋଇଥିଲା। ଭିତରସ୍ଥ ମହାପାତ୍ର ଭେଟମଣ୍ଡପରେ ଉଭୟଙ୍କ ଭେଟ କରାଇ ବନ୍ଦାପନା ନୀତି ସମ୍ପନ୍ନ କରିଥିଲେ। ପରବର୍ତ୍ତୀ ସମୟରେ ଭଣ୍ଡାରଘର ନିକଟରେ ମହାପ୍ରଭୁ ଓ ମହାଲକ୍ଷ୍ମୀଙ୍କ ବିବାହ ଗଇଁଠାଳ ଫିଟାଯିବା ସହ ମହାପ୍ରଭୁ ରସଗୋଲା ଭୋଗ ଅର୍ପଣ କରି ମା'ଙ୍କ ମାନଭଞ୍ଜନ କରିଥିଲେ।
ଆଜିଠାରୁ ମିଳିବ ମହାପ୍ରସାଦ
ନୀଳାଦ୍ରିବିଜେ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ପୁଣିଥରେ ଭକ୍ତମାନଙ୍କ ଗହଳିରେ ଚଳଚଞ୍ଚଳ ହୋଇଉଠିଛି। ଆଜିଠାରୁ ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାଥୀ Kସହ ପବିତ୍ର ନୀଳାଚଳ ଅବଢ଼ା ପାଇପାରିବେ।