ରାମପୁର, ଜୁନ୍ ୨୩ (ଖବର ଓଡ଼ିଶା): ଦେଶର ୩ଟି ଲୋକସଭା ଓ ୭ଟି ବିଧାନସଭା ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏଥିରେ ଉତ୍ତର ପ୍ରଦେଶର ରାମପୁର ଲୋକସଭା ଆସନ ମଧ୍ୟ ସାମିଲ ଅଛି । ତେବେ ରାମପୁରରେ ମତଦାନ ପୂର୍ବରୁ ଉତ୍ତେଜନା ଦେଖାଯାଇଛି । ଅଭିଯୋଗ ଅନୁସାରେ ସମାଜବାଦୀ ପାର୍ଟିର ନେତାମାନେ ଉତ୍ତେଜନା ସୃଷ୍ଟି କରିଛନ୍ତି । ପୋଲିସ ଏକାଧିକ ସମାଜବାଦୀ ପାର୍ଟି (ସପା)ର ନେତାଙ୍କୁ ଅଟକ ରଖିଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ଏହି ମାମଲାରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନ କହିଛନ୍ତି ଯେ, ଆମେ ପୂରା ରାତି ଜାଗ୍ରତ ଥିଲୁ । ଆମର ପ୍ରାର୍ଥୀ ସଂସଦୀୟ ଆସନର ସବୁ ଥାନାକୁ ଯାଇଥିଲେ । ପୋଲିସ ଆମକୁ ଦୁର୍ବ୍ୟବହାର କରିଛି । ଆମର ଦଳୀୟ କର୍ମୀଙ୍କୁ ମାଡ଼ ମାରିଛି । ଯଦି ଭୋଟ ପ୍ରତିଶତ ହ୍ରାସ ପାଏ, ତା’ହେଲେ ଏଥି ପାଇଁ ସରକାର ଦାୟୀ ରହିବେ ।
ଆଜି ପୂର୍ବାହ୍ନ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ମତଦାନ ସନ୍ଧ୍ୟା ୫ଟା ଯାଏଁ ଏହା ଜାରି ରହିବ । ୩ ଲୋକସଭା ଓ ୭ ବିଧାନସଭା ଆସନର ଭୋଟଗଣତି ଓ ଫଳାଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଉତ୍ତର ପ୍ରଦେଶର ରାମପୁର ଓ ଆଜମଗଡ଼ ଏବଂ ପଂଜାବର ସଂଗରୁର ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ସେହିପରି ଦିଲ୍ଲୀ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତ୍ରିପୁରାର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଛି ।