ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଡିହା ଗ୍ରାମରେ ସୋମବାର ଅପରାହ୍ନରେ ଘଟିଥିବା ଆକସ୍ମିକ ବଜ୍ରପାତ ଏକ ନିରୀହ ଶିଶୁର ଜୀବନ ନେଇଯାଇଛି। ଏହି ହୃଦୟବିଦାରକ ଘଟଣାରେ ୧୦ ବର୍ଷୀୟ ରାହୁଲ ଦେହୁରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୃତ ରାହୁଲ ସ୍ୱର୍ଗତ ଗଙ୍ଗାଧର ଦେହୁରୀ ଓ ସାବିତ୍ରୀ ଦେହୁରୀଙ୍କ ପୁଅ ଥିଲେ। ସେ ସ୍ଥାନୀୟ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର ଥିଲେ। ସୋମବାର ତାଙ୍କ ମାଆ ବିଲକୁ କାମ କରିବାକୁ ଯାଇଥିବାରୁ ରାହୁଲ ସ୍କୁଲକୁ ନଯାଇ ଘରେ ରହିଥିଲେ। ପରେ ସେ ନିଜ ସାଙ୍ଗମାନଙ୍କ ସହ ଘର ନିକଟସ୍ଥ ଏକ ବରଗଛ ମୂଳରେ ବସିଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା। ଭୟରେ ଅନ୍ୟ ପିଲାମାନେ ଦୌଡ଼ି ପଳାଇଥିବା ବେଳେ ରାହୁଲ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଖୁଣ୍ଟା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଲରୁ ଖବର ପାଇ ମାଆ ଡାକ୍ତରଖାନାରେ ପହଞ୍ଚି ପୁଅର ମୃତଦେହ ଦେଖି ଭାଙ୍ଗିପଡ଼ିଥିଲେ। ତାଙ୍କର କାନ୍ଦବୋବାଳିରେ ପରିବେଶ ଫାଟି ପଡୁଥିଲା। ଖୁଣ୍ଟା ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।