Home >
ଖବର ପ୍ରସାରଣ କରୁ କରୁ ଆଜି ସେ ନିଜେ ପାଲଟିଗଲେ ଖବର, ସାମ୍ବାଦିକ ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଓଡ଼ିଆ ସମ୍ବାଦିକତା ଜଗତ
Khabar Odisha:Journalist-Arindam-Das-Dies-in-Boat-Accident

ଭୁବନେଶ୍ୱର, ସେପ୍ଟେମ୍ବର ୨୪ (ଖବର ଓଡ଼ିଶା): ଏବେ ଚାରିଆଡେ ତାଙ୍କ ସାହସିକତାର ଚର୍ଚ୍ଚା । ଓଡ଼ିଆ ସାମ୍ବାଦିକତା ଜଗତର ବେଶ୍ ଚିହ୍ନା ପରିଚିତ ଓ ଜଣାଶୁଣା ନାଁ ଅରିନ୍ଦମ୍ ଦାସ । ହେଲେ ସେ ଏବେ ଆଉ ନାହାନ୍ତି ଆମ ଗହଣରେ । ଖବର ପ୍ରସାରଣ କରୁକରୁ ନିଜେ ଆଜି ଖବର ପାଲଟି ଯାଇଛନ୍ତି ଅରିନ୍ଦମ୍ ।

ମହାନଦୀର ମୁଣ୍ଡଳୀ ବ୍ୟାରେଜ୍ ନିକଟରେ ଭଗୀର ସ୍ରୋତରେ ପଶି ରହିଥିଲା ଏକ ଦନ୍ତା ହାତୀ । ଆଉ ବନ୍ୟ ପ୍ରାଣୀଙ୍କ ବିଷୟରେ ଖବର ପ୍ରସାରଣ କରିବାକୁ ରିପୋଟିଂ କରିବାକୁ ବେଶ୍ ରୁଚି ରଖନ୍ତି ଅରିନ୍ଦମ୍ ।

ହେଲେ ଆଜି ଏହି ରୁଚି ଯେ ତାଙ୍କ ପାଇଁ କାଳ ହୋଇଯିବ ତାହା ସିଏ କେବେ ହେଲେ କଳ୍ପନା ମଧ୍ୟ କରିନଥିଲେ ।

ଦନ୍ତାକୁ ପାଣିରୁ ଉଦ୍ଧାର କରିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ ଗଜରାଜ’ । ଓଡ୍ରାଫ୍ ଟିମ୍ ସହିତ ଅପରେସନ୍ ରେ ବାହାରି ପଡିଲେ ଅରିନ୍ଦମ୍ ପୁରା ଅପରେସନ୍ ର ଟିକିନିକି ଖବର ଦେବାକୁ । 

ଅପରେସନ୍ ଏକ ପ୍ରକାର ସଫଳ ହୋଇ ଆସୁଥିଲା, ହେଲେ ସମାନ ଗତିରେ ଅରିନ୍ଦମ୍‌ଙ୍କୁ ମୃତ୍ୟୁର ସମୟ ମଧ୍ୟ ପାଖେଇ ଆସୁଥିଲା । 

ହାତୀକୁ ଉଦ୍ଧାର କରିବା ସମୟରେ ପ୍ରଖର ପାଣି ସୁଅରେ ଧିରେ ଧିରେ ଭାରସାମ୍ୟ ହରାଇବା ଆରମ୍ଭ କଲା ରବର୍ ବୋଟ୍ । ଚାହୁଁ ଚାହୁଁ ସୁଅରେ ଓଲଟି ପଡିଲା ବୋଟ୍ । 

ବୋଟ୍ ଦୂର୍ଘଟଣାରେ ଓଡ୍ରାଫ୍ ଟିମ୍ ସହ ଦୁଇ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ମହାନଦୀରେ ବୁଡିଗଲେ । ସବୁଠାରୁ ବଡ଼ କଥା ହେଲା ଏସବୁ କିଛି ଲାଇଭ୍ ଚାଲିଥିଲା ।

ଆଖି ପିଛୁଳାକେ ଘଟିଥିବା ଏହି ଦୂର୍ଘଟଣାରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିବା ବେଳେ ବୁଡି ଯାଇଥିବା ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହେଲା ରେସକ୍ୟୁ ଅପରେସନ୍ ।

ଜଣ ଜଣ କରି ୬ ଜଣଙ୍କୁ ଉଦ୍ଧାର କରାଗଲା । କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନାଙ୍କ ସହିତ ସାମ୍ବାଦିକ ଅରିନ୍ଦମ୍ ଦାସଙ୍କୁ ମଧ୍ୟ ଉଦ୍ଧାର କରାଗଲା କିଛି ସମୟ ମଧ୍ୟରେ । 

ମାତ୍ର ପାଣି ଭିତରେ ନିଜ ଜୀବନ ସହ ସଂଘର୍ଷ କରିକରି ହାରିଗଲେ ଅରିନ୍ଦମ୍ । ଅରିନ୍ଦମ୍‌ଙ୍କ ମୃତ୍ୟୁର ସେହି ଲାଇଭ୍ ଟେଲିକାଷ୍ଟ ଏବେ ସମସ୍ତ ଗଣମାଧ୍ୟମରେ ପ୍ରସାରିତ କରାଯାଉଛି । ଅରିନ୍ଦମଙ୍କ ବଞ୍ଚିବାର ସେହି କିଛି ସମୟର ସଂଘର୍ଷ ଯେ ଏବେ ହୃଦୟ ବିଦାରକ ତାହା କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ ।

ଶେଷ ସମୟରେ ବି ଏକ ସାହାସୀ ଓ ନିର୍ଭିକ ସାମ୍ବାଦିକତାର ପରିଚୟ ଦେଇ ସବୁଦିନ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ଅରିନ୍ଦମ୍ । 

ଅରିନ୍ଦମ୍ ଦାସଙ୍କ ଏହି ଅକାଳ ବିୟୋଗରେ ଓଡ଼ିଆ ଗଣମାଧ୍ୟମ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏଭଳି ଏକ ମହାନ୍ ପ୍ରତିଭାଙ୍କୁ ଆମ ତରଫରୁ ମଧ୍ୟ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।

  • Tags:

Subscribe

National International State Sports Entertainment