ବୁଲାୟୋ: ୧୯ ବର୍ଷରୁ କମ ବିଶ୍ଵକପରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫୮ ରନରେ ପରାସ୍ତ କରିଛି। ଏହା ସହ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୨୫୨ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ପାକିସ୍ତାନ କେବଳ ୧୯୪ ରନ କରିପାରିଥିଲା। ଏବେ ସେମିରେ ଭାରତ ଆଫଗାନିସ୍ତାନକୁ ଭେଟିବ।
ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ପୂର୍ବରୁ ବିଶ୍ୱକପ୍ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲା। ସମସ୍ତଙ୍କ ନଜର ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପରେ ଥିଲା, କାରଣ ଏହାର ଫଳାଫଳ ସେମିରେ ଚତୁର୍ଥ ଦଳ ଭାବେ କିଏ ପ୍ରବେଶ କରିବ ତାର ନିଷ୍ପତ୍ତି ।
ଭାରତୀୟ ଦଳ ପାକିସ୍ତାନକୁ ୨୫୨ ରନ ଟାର୍ଗେଟ ଦେଇଥିଲା। କାରଣ ପାକିସ୍ତାନ ନେଟ୍ ରନ-ରେଟ୍ରେ ବହୁତ ପଛରେ ଥିଲା, ତେଣୁ ଦଳକୁ ୩୩.୩ ଓଭରରେ ଏହି ଟାର୍ଗେଟ ହାସଲ କରିବାକୁ ପଡିଥିଲା। ଉସମାନ ଖାନ, ଅଧିନାୟକ ଫରହାନ ୟୁସୁଫ ଏବଂ ଓପନର ହମଜା ଜହୁର ଗୋଟିଏ ସମୟରେ ଟିମ୍ ଇଣ୍ଡିଆକୁ ଅକଳରେ ପକାଇଥିଲେ। କିନ୍ତୁ ପାକିସ୍ତାନର ନିମ୍ନ ମଧ୍ୟମ କ୍ରମ ଏବଂ ଟେଲଏଣ୍ଡରମାନେ ବିଫଳ ହୋଇଥିଲେ।
ଅଧିନାୟକ ଆୟୁଷ ମହାତ୍ରେଙ୍କ ମ୍ୟାଚ୍ ବିଜୟୀ ପ୍ରଦର୍ଶନ
ଗୋଟିଏ ସମୟରେ, ପାକିସ୍ତାନ ୩୦ ଓଭରରେ ମାତ୍ର ଦୁଇଟି ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। ସ୍କୋରବୋର୍ଡ ୫ ରୁ ଅଧିକ ରନ ହାରରେ ଗତି କରୁଥିଲା। ପାକିସ୍ତାନୀ ଦଳ ସହଜରେ ବିଜୟ ହାସଲ କରିବ ବୋଲି ମନେ ହେଉଥିଲା। ଆରଏସ ଆମ୍ବ୍ରିସ୍ ଅଧିନାୟକ ଫରହାନ ୟୁସୁଫ(୩୮) ରନ୍ ଆଉଟ୍ କରିଥିଲେ।
ଏହି ସମୟରେ, ଅଧିନାୟକ ଆୟୁଷ ମହାତ୍ରେ ଘାତକ ବୋଲିଂ କରି ମ୍ୟାଚରେ ଭାରତକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ।ଅହମ୍ମଦ ହୁସେନଙ୍କୁ ଆଉଟ୍ କରି ପାକିସ୍ତାନକୁ ବଡ଼ ଝଟକା ଦେଇଥିଲେ। ଉସମାନ ଖାନ କ୍ରିଜରେ ଥିବା ପର୍ଯ୍ୟନ୍ତ ପାକିସ୍ତାନର ବିଜୟ ଆଶା ଉଜ୍ଜିବୀତ ଥିଲା।କିନ୍ତୁ ମହାତ୍ରେ ତାଙ୍କୁ ୬୬ ରନରେ ଆଉଟ୍ କରିଥିଲେ। ମହାତ୍ରେଙ୍କ କ୍ରମାଗତ ଦୁଇ ସେଟ୍ ବ୍ୟାଟରଙ୍କୁ ଆଉଟ୍ କରିବା ମ୍ୟାଚକୁ ଭାରତ ସପକ୍ଷରେ ମୋଡ଼ି ଥିଲେ। ପାକିସ୍ତାନ ୪୩ ରନରେ ଶେଷ ଛଅ ୱିକେଟ୍ ହରାଇଥିଲା। ଆଉ ପାକିସ୍ତାନ ୧୯୪ ରନରେ ଅଲଆଉଟ୍ ହୋଇଥିଲା।
Also read: ଟି-୨୦ ବିଶ୍ଵକପରେ ଭାରତ ସହ ଖେଳିବନି ପାକିସ୍ତାନ, ଘୋଷଣା କଲେ ପାକିସ୍ତାନ ସରକାର