ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ କହିଛନ୍ତି,ଏବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି। ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ। ଜଣେ ଅବସରପ୍ରାପ୍ତ ଜଜଙ୍କ ତଦାରଖରେ ଏହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସବୁ ତଦନ୍ତ ସରିଲେ, ଜଣାଇବୁ।
ସୂଚନାଯୋଗ୍ୟ ଯେ ,ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଯାଇ ୫୪୪ ପୃଷ୍ଠା ଦୀର୍ଘ ଚାର୍ଜସିଟ୍ରେ ଏମିତି ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ । ଗୋପାଳ ମାନସିକ ଅସୁସ୍ଥ ଥିବା ନେଇ ଯାହା ଚର୍ଚ୍ଚା ଚାଲିଥିଲା, ତାହା ଠିକ୍ ନୁହେଁ। ବରଂ ସେ ସୁସ୍ଥ ମସ୍ତିଷ୍କରେ ରହି ମନ୍ତ୍ରୀଙ୍କୁ ହତ୍ୟା ନିଷ୍ପତ୍ତି ନେଇଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଶୁକ୍ରବାର ଦିନ କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସ୍ପି ରମେଶ ଦୋରାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଝାରସୁଗୁଡ଼ାରେ ପହଞ୍ଚି ପ୍ରଥମେ ଜେଏମ୍ଏଫ୍ସିଙ୍କ ଅଦାଲତକୁ ଯାଇଥିଲେ। ମାତ୍ର ଜେଏମ୍ଏଫ୍ସିଙ୍କ ଅନୁପସ୍ଥିତି କାରଣରୁ ଏସ୍ଡିଜେଏମ୍ଙ୍କ କୋର୍ଟରେ ବନ୍ଦ ଲଫାପାରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ଜାନୁଆରି ୨୯ ତାରିଖ ଦିନ ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍ଆଇ ଗୋପାଳ ହତ୍ୟା କରିବା ପରେ କ୍ରାଇମବ୍ରାଞ୍ଚ ତଦନ୍ତଭାର ଗ୍ରହଣ କରିଥିଲା। ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ମୋଟ ୮୯ଜଣଙ୍କୁ ପଚରାଉଚରା କରିଥିଲା। ଏଥିରେ ଝାରସୁଗୁଡ଼ା ପୁଲିସ ଓ ବ୍ରଜରାଜନଗର ଅଞ୍ଚଳ ବାସିନ୍ଦା ବି ଅଛନ୍ତି। ସେମାନଙ୍କୁ ଘଟଣାର ସାକ୍ଷୀ ଭାବେ ନିଆଯାଇଛି। ହତ୍ୟାକାଣ୍ଡକୁ ନେଇ ଗୋପାଳର ବୟାନର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ସମୟରେ କ୍ରାଇମବ୍ରାଞ୍ଚ ଗୋପାଳର ଏଲ୍ଭିଏ ପରୀକ୍ଷା, ପଲିଗ୍ରାଫ୍ ପରୀକ୍ଷା, ନାର୍କୋ ପରୀକ୍ଷା କରିଥିଲା। ନିର୍ଦ୍ଦିଷ୍ଟ ଭାବେ ଯେଉଁ ଚାରିଟି କାରଣ ପାଇଁ ନବ ଦାସଙ୍କ ସହ ଶତ୍ରୁତା ଥିବାରୁ ତାଙ୍କୁ ସେ ହତ୍ୟା କରିଥିବା ବୟାନ ଦେଇଥିଲା, ଏହାର ସତ୍ୟାସତ୍ୟ ଉପରୋକ୍ତ ପରୀକ୍ଷା ମାଧ୍ୟମରେ ସ୍ପଷ୍ଟ ହୋଇଥିଲା। ତେବେ ଏସବୁ ସଂପର୍କରେ କୋର୍ଟରେ ଅତରିକ୍ତ ଚାର୍ଜସିଟ୍ ଦାଖଲ ସମୟରେ ତଥ୍ୟ ସଂଲଗ୍ନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।