ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି। ଏବେ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି।
ସୂଚନା ଅନୁଯାୟୀ, ହୀରାକୁଦକୁ ଏବେ କମ୍ ଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସନ ହେଉଛି ଅଧିକ ଜଳ। ଏହାରି ମଧ୍ୟରେ ହୀରାକୁଦକୁ ୧ ଲକ୍ଷ ୭ ହଜାର ୬୯୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୩ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ତେବେ ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଗାମୀ ସମୟରେ ଜଳପ୍ରବାହ ଆହୁରି କମିବ ବୋଲି ଆକଳନ କରାଯାଉଛି ।
ସେହିପରି ବନ୍ୟା ପରିସ୍ଥିତି ପରେ ରାଜ୍ୟରେ ଜଳ ବନ୍ଧ ସଂରଚନାର ସୁରକ୍ଷା ଓ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ଜଳ ସମ୍ପଦ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି। ବିଭାଗର ବରିଷ୍ଠ ଯନ୍ତ୍ରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରୁଥିବାବେଳେ, ଆବଶ୍ୟକ ସ୍ଥାନରେ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।
ଅନ୍ୟପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ବ୍ରାହ୍ମଣୀ ଓ ବୈତରଣୀ ନଦୀ ଅଞ୍ଚଳରେ ଗତକାଲିଠାରୁ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଅନ୍ୟ କ୍ଷତିଗ୍ରସ୍ତ ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି।
ପାଣିପାଗକୁ ନେଇ ମଧ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। ପ୍ରାଥମିକ ଆକଳନ ଅନୁଯାୟୀ ଅଗଷ୍ଟ ୫ ତାରିଖ ପରେ ପୁଣି ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସ୍ଥିତିକୁ ଦେଖି ରାଜ୍ୟରେ ଆଗକୁ ଆଉ କୌଣସି ବଡ଼ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।