ଅନୁଗୁଳ:ସାତକୋଶିଆର ମହାନଦୀ ଗଣ୍ଡରେ ବଢିଛି କୁମ୍ଭୀରଙ୍କ ସଂଖ୍ୟା। ଚଳିତବର୍ଷ ମହାନଦୀ ଗଣ୍ଡରେ ମୋଟ୍ ୧୧୦ଟି କୁମ୍ଭୀର ଗଣନା କରାଯାଇଛି। ଯେଉଁଥିରେ ୮୮ଟି ମଗର ଏବଂ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ରହିଛନ୍ତି। ଏଥିପାଇଁ ୧୪ଟି ଟିମ୍ ଗଠନ ହୋଇଥିଲା। ଯେଉଁଥିରେ ପ୍ରାୟ ୭୦ ଜଣ ବନ କର୍ମଚାରୀ, ଗବେଷକ ସାମିଲ ହୋଇଥିଲେ। ମହାନଦୀ ଗଣ୍ଡର ଉତ୍ତମ ବାତାବରଣ ଯୋଗୁଁ କୁମ୍ଭୀର ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ; ପ୍ରତିବର୍ଷ ସାତକୋଶିଆର ମହାନଦୀ ଗଣ୍ଡରେ କୁମ୍ଭୀର ଗଣନା କରାଯାଇଥାଏ। ଗତବର୍ଷ ମଧ୍ୟ କୁମ୍ଭୀର ଗଣନାରେ ମହାନଦୀ ଗଣ୍ଡରେ ମୋଟ ୭୫ଟି କୁମ୍ଭୀର ରହିଥିଲେ। ସେମାନଙ୍କ ମଧ୍ୟରେ ୫୯ଟି ମଗର ଓ ୧୬ଟି ଘଡ଼ିଆଳ ରହିଥିଲେ। ତେବେ ଚଳିତ ମାସ ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହୋଇଥିଲା। ସାତକୋଶିଆ ମହାନଦୀ ଗଣ୍ଡର ପ୍ରାୟ ୨୨ କିମି ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା। ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଛି। ଏପରିକି ସମସ୍ତ କୁମ୍ଭୀରମାନେ ସୁସ୍ଥ ଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।