ଭୁବନେଶ୍ୱର: ଦୀର୍ଘ ତିନି ଦିନ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି । ଭୁବନେଶ୍ୱର ଏମସ ସୋମବାର ବିଳମ୍ବିତ ରାତିରେ ପୀଡ଼ିତା ଜଣକ ଆଖି ବୁଜିଛନ୍ତି । ଏ ନେଇ ଏମସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପୀଡ଼ିତାଙ୍କ ମୃତ୍ୟୁ ପରେ ଏମସରେ ରାତିରେ ହିଁ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି । ଏହା ପରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ତାଙ୍କ ପୈତୃକ ଗାଁ ପଳାଶିଆକୁ ପାର୍ଥିବ ଶରୀରକୁ ନିଆଯାଇଛି । ସେଠାରେ ତାଙ୍କର ଶେଷ କୃତ୍ୟ କରାଯିବ ।
ଗତ ୧୨ ତାରିଖ, ଶନିବାର ମଧ୍ୟାହ୍ନ ସମୟରେ କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଶେଷ ବୈଠକ କରିବା ପରେ ସୌମ୍ୟାଶ୍ରୀ ହଠାତ୍ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏଜୁକେସନ ବିଭାଗ ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ସେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ । ଅଧ୍ୟାପକ ସମୀର ସାହୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ସେ ବିଭିନ୍ନ ସ୍ଥାନରେ ଅଭିଯୋଗ କରିଥିଲେ । ଏପରିକି ତାଙ୍କୁ ପରୀକ୍ଷା ଦେବାରୁ ମଧ୍ୟ ବଞ୍ଚିତ କରାଯାଇଥିଲା । କିନ୍ତୁ ତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଆତ୍ମାହୁତି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ବାରମ୍ବାର କଲେଜ ଅଧ୍ୟକ୍ଷ ଦିଲୀପ ଘୋଷ ଓ ଅଧ୍ୟାପକଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ସେ ପ୍ରାଣ ହରାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସୌମ୍ୟାଶ୍ରୀଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ିଯାଇଥିଲା । ବାଲେଶ୍ୱରରୁ ଏମସକୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବର୍ଣ୍ଣ ୟୁନିଟରେ ତାଙ୍କର ଚିକିତ୍ସା ଚାଲିଥିଲା। ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଏଁ ସମସ୍ତେ ସୌମ୍ୟାଶ୍ରୀଙ୍କ ପରିବାର ଭେଟି ଆରୋଗ୍ୟ କାମନା କରିଥିଲେ । କ୍ରିଟିକାଲ କେୟାର ୟୁନିଟରେ ତିନି ଦିନର ଲଢ଼େଇ ପରେ ଶେଷରେ ଜୁଲାଇ ୧୪ ତାରିଖ ବିଳମ୍ବିତ ରାତ୍ରିରେ ଦେହ ତ୍ୟାଗ କରିଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ବାଲେଶ୍ୱର ନିଆଯାଇଛି । ତାଙ୍କ ପୈତୃକ ଗାଁରେ ଅନ୍ତିମ ସଂସ୍କାର ହେବ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରୟାଣ ଗାଡ଼ିକୁ ନିଆଯାଇଛି । ଭୁବନେଶ୍ୱରରୁ ବାଲେଶ୍ୱର ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତାଙ୍କ ଗାଁରେ ମଧ୍ୟ ପୋଲିସ ଛାଉଣୀ ହୋଇଛନ୍ତି ।
ଏହି ମାମଲାରେ ଏଜୁକେସନ ବିଭାଗ ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁ ଓ ଅଧ୍ୟକ୍ଷ ଦିଲୀପ ଘୋଷଙ୍କୁ ନିଲମ୍ବନ କରାଯିବା ସହିତ ଗିରଫ କରାଯାଇଛି । ପୀଡ଼ିତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଶ୍ୱାସନା ଦେଇଛନ୍ତି ।