ଭୁବନେଶ୍ୱର: ଗାଡ଼ିରେ ବିକଟାଳ ହର୍ଣ୍ଣ ଲଗାଉଥିଲେ ହୋଇ ଯାଆନ୍ତୁ ସାବଧାନ୍, ଧରାପଡ଼ିଲେ ତଣ୍ଡ ଗଣିବା ସହିତ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜଧାନୀ ରାଜା ରାସ୍ତାରେ ବିକଟାଳ ହର୍ଣ୍ଣ ଲଗାଇ ଗାଡ଼ି ଚଲାଉଥିବା ଚାଳକଙ୍କୁ ଗୋଟି ଗୋଟି କରି ଧରୁଛି ଟ୍ରାଫିକ୍ ପୁଲିସ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଗାଡିରୁ ହର୍ଣ୍ଣ ବାହାର କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ ।
ଗୁରୁବାର ଭୁବନେଶ୍ୱରର ବାଣୀ ବିହାର, ଏଜି ଛକ, ବରମୁଣ୍ଡା ଏବଂ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ୨ଟି ସ୍ଥାନ ସମେତ ୫ଟି ଜାଗାରେ ଏକାକାଳୀନ କମିଶନରେଟ୍ ପୋଲିସ ପକ୍ଷରୁ ଆରଟିଓ ସହଯୋଗରେ ଚେକିଂ କରାଯାଉଛି । ଯେଉଁ ବସ୍ ଓ ଟ୍ରକ୍ ବିକଟାଳ ହର୍ଣ୍ଣ ଲଗାଇଛନ୍ତି, ସେହି ଗାଡ଼ିକୁ ଅଟକାଯାଇ ମଡ଼ିଫାଏଡ୍ ହର୍ଣ୍ଣକୁ କଢ଼ାଯାଉଛି । ଗତକାଲିରୁ ଆଜି ମଧ୍ୟରେ ପ୍ରାୟ ୮୦ଟି ବସ୍ ରୁ ହର୍ଣ୍ଣ କଢ଼ାଯାଇ ସାରିଲାଣି । ଟ୍ରାଫିକ ନିୟମ ମାନୁ ନ ଥିବା ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଏହା ଅନିର୍ଦ୍ଦିଷ୍ଟକାଳ ପାଇଁ ଚାଲିବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ପୋଲିସ ଡିସିପି ତପନ ମହାନ୍ତି ।
ପୂର୍ବରୁ ପ୍ରାୟ ୧୫୦ଟି ବାଇକ ଗୁଡ଼ିକରୁ ମଧ୍ୟ ବିକଟାଳ ହର୍ଣ୍ଣ କଢ଼ାଯାଇଥିଲା । ବିକଟାଳ ହର୍ଣ୍ଣ ଦ୍ୱାରା ଅନେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଏହା ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି । ତେଣୁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରାଯାଇଛି ।