ସମ୍ବଲପୁରରେ ମହାନଦୀରେ ଖସିପଡ଼ିଥିବା ବୃଦ୍ଧ ସୁରକ୍ଷିତ ଉଦ୍ଧାର । ୬୯ ବର୍ଷର ବୃଦ୍ଧ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବିଭାଗ ଟିମ୍ । ଗାଡ଼ି ରଖି ସେଲଫି ନେଉଥିବା ବେଳେ ଗୋଡ଼ ଖସି ଯାଇଥିଲା ବୋଲି ବୃଦ୍ଧ ଜଣକ କହିଛନ୍ତି ।
ସୂଚନା ଅନୁଯାୟୀ ସକାଳୁ ସକାଳୁ ମହାନଦୀକୁ ଡେଇଁ ଜଣେ ବ୍ୟକ୍ତି ନିଖୋଜ ହୋଇଗଲେ ବୋଲି ଖବର ମିଳିଥିଲା। ଏହାପରେ ଅଗ୍ନିଶମ ବିଭାଗ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଶେଷରେ ଅଗ୍ନିଶମ କର୍ମଚାରୀଙ୍କ ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଘରକୁ ଫେରି ପାରିଛନ୍ତି ବୃଦ୍ଧ । ଉଦ୍ଧାର ପାଇଥିବା ବୃଦ୍ଧଜଣକ ହେଲେ ସୁରେନ୍ଦ୍ର ମୋହନ ମିଶ୍ର । ସୁରେନ୍ଦ୍ର ମୋହନ ମିଶ୍ର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ପରିବାର ସହ ଏସଆରଆଇଟି କଲୋନୀରେ ରୁହନ୍ତି। ଆଜି ସକାଳେ ନିଜ ସ୍କୁଟିରେ ଚାଉଁରପୁର ବ୍ରିଜ ଅତିକ୍ରମ କରୁଥିବା ବେଳେ ସେଲଫି ନେବାକୁ ମନ ହେବାରୁ ସେ ଅଟକି ଯାଇଥିଲେ । ମାତ୍ର ସେ ଜାଣି ନ ଥିଲେ ଏହା କାଳ ପାଲଟିଯିବ ।
ଏନେଇ ସୁରେନ୍ଦ୍ର କୁମାର ନିଜେ କହିଛନ୍ତି, ସ୍ନାୟୁଗତ ସମସ୍ୟା ସହ ମୋର ଆହୁରି ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି । ବ୍ରିଜ ନିକଟରେ ଛିଡ଼ା ହୋଇ ସେଲଫି ନେଉଥିବା ବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲି। ଫଳରେ ହଠାତ୍ ଗୋଡ଼ ଖସିଯିବା ସହ ନଦୀରେ ପଡ଼ି ଯାଇଥିଲି। ପୁଣି ଥରେ ବଞ୍ଚିବା ଆଶା ନ ଥିଲା। ମାତ୍ର ନଦୀ ସ୍ରୋତରେ ଭାସୁ ଭାସୁ ଏକ ବଡ଼ ଘାସ ବୁଦା ହାତରେ ବାଜିବାରୁ ତାହାକୁ ଧରି ରହି ଯାଇଥିଲି। ଏହାପରେ ବଞ୍ଚାଇବାକୁ ଆର୍ତ୍ତ ଚିତ୍କାର କରୁଥିଲି। ବହୁ ସମୟ ପରେ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ମୋତେ ଉଦ୍ଧାର କରିଥିଲେ ।