ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସ ମହାକୁମ୍ଭକୁ ଫେରିବ କ୍ରିକେଟ୍ । ଦୀର୍ଘ ୧୨୮ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବ । ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ମ୍ୟାଚ୍ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଏ ନେଇ ସୂଚନା ଦେଇଛି ।
ଆଇଓସିର ସୂଚନା ଅନୁସାରେ, ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ଉଭୟ ପୁରୁଷ ଏବଂ ମହିଳା ଟିମ୍ ଖେଳିବେ । ଉଭୟ ବର୍ଗରେ ମାତ୍ର ୬ଟି ଲେଖାଏଁ ଟିମ୍ ସାମିଲ ହେବେ । ପ୍ରତ୍ୟେକ ବର୍ଗରେ ମୋଟ ୯୦ ଜଣ ଖେଳାଳି ରହିବାକୁ ନିୟମ ରହିଛି । ଅର୍ଥାତ ପ୍ରତ୍ୟେକ ଟିମ୍ ୧୫ ଜଣ ଖେଳାଳୀଙ୍କ ଚୟନ କରିପାରିବ । ତେବେ ଏଥିପାଇଁ ଯୋଗ୍ୟତା ମାନଦଣ୍ଡ କଣ ରହିଛି ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ମାତ୍ର ଆୟୋଜକ ଦେଶ ଭାବେ ଆମେରିକା ଟିମକୁ ସିଧାସଳକ ସ୍ଥାନ ମିଳିପାରେ ।
ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ୫ଟି ନୂତନ ଖେଳକୁ ସାମିଲ କରାଯାଇଛି । ସ୍କ୍ୱାସ୍, ଫ୍ଲାଗ୍ ଫୁଟବଲ୍, ବେସବଲ୍/ସଫ୍ଟବଲ୍, ଲକ୍ରସ୍ ଏବଂ କ୍ରିକେଟ୍ ।
୨୦୨୨ରେ ବର୍ମିଂହାମ୍ କମନୱେଲଥ ଗେମ୍ସରେ ପ୍ରଥମଥର ପାଇଁ ମହିଳା କ୍ରିକେଟ୍ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ସ୍ୱର୍ଣ୍ଣ ଜିତିଥିବାବେଳେ ଭାରତ ରୌପ୍ୟ ବିଜୟୀ ହୋଇଥିଲା । ସେହିପରି ୨୦୨୩ ଏସିଆନ ଗେମ୍ସରେ ୧୪ଟି ପୁରୁଷ ଏବଂ ୯ଟି ମହିଳା ଦଳ ଅଂଶ ଗ୍ରହଣ କରିଥିଲେ ।