ହାଇଦ୍ରାବାଦ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଜି ସିରିଜର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇ ଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ । ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଥିବା ଭାରତର ନଜର ସିରିଜ୍ କ୍ଲିନ ସୁଇପ ଉପରେ ରହିବ । ଯଦି ଭାରତ ଆଜିର ମ୍ୟାଚ୍ ଜିତିଯାଏ ତେବେ ବାଂଲାଦେଶ ପୁରା ଭାରତ ଗସ୍ତରେ ୫-୦ରେ ମୂଳପୋଛ ହେବ । ଏହା ପୂର୍ବରୁ ଟେଷ୍ଟ ସିରିଜରେ ଭାରତ ଭ୍ରମଣକାରୀ ବାଂଲାଦେଶକୁ ୨-୦ରେ ହରାଇଥିଲା । ତେବେ ଆଜିର ମ୍ୟାଚରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ । ବେଞ୍ଚରେ ବସିଥିବା ଖେଳାଳିଙ୍କୁ ସୁଯୋଗ ଦିଆଯାଇପାରେ।
ହର୍ଷିତ ରାଣା କରିବେ ଡେବ୍ୟୁ
ଭାରତୀୟ ଦଳର ସହାୟକ କୋଚ୍ ରେୟାନ ଟେନ ଡୋଇଶେ ସଙ୍କେତ ଦେଇ ସାରିଛନ୍ତି ଯେ, ବାଂଲାଦେଶ ବିପକ୍ଷ ୩ୟ ଟି-୨୦ରେ ହର୍ଷିତ ରାଣା ପଦାର୍ପଣ କରି ପାରନ୍ତି । ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦଳରେ ବହୁତ ଗଭୀରତା ରହିଛି ଏବଂ ଅନେକ ଖେଳାଳିଙ୍କ ଆଇପିଏଲର ଅନୁଭବ ରହିଛି । ଆମ ପାଖରେ ଥିବା ଖେଳାଳିଙ୍କୁ ଅନ୍ତର୍ଜାତୀୟ ଅନୁଭବ ଦେବା ପାଇଁ ଦଳରେ ସାମିଲ କରିବାକୁ ଚେଷ୍ଟା କରୁଛୁ । ଏଥିପାଇଁ ହର୍ଷିତ ରାଣାଙ୍କ ପରି ଖେଳାଳିଙ୍କୁ ଦଳରେ ସୁଯୋଗ ଦେବାକୁ ଆମେ ଉତ୍ସୁକ ଅଟୁ ।
ଯଦି ହର୍ଷିତ ରାଣାଙ୍କୁ ଆଜିର ମ୍ୟାଚରେ ସୁଯୋଗ ଦିଆଯାଏ ତେବେ କେଉଁ ବୋଲରଙ୍କୁ ବିଶ୍ରାମ ଦିଆଯିବ । ଏମିତି ସ୍ଥିତିରେ ଅର୍ଶଦୀପ ସିଂଙ୍କୁ ବିଶ୍ରାମ ଦିଆଯାଇପାରେ । ଆଜିର ମ୍ୟାଚରେ ମୟଙ୍କ ଯାଦବଙ୍କ ସହିତ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିପାରେ । ଅନ୍ୟପଟେ ଏହା ଦେଖିବାକୁ ମିଳିଛି ଯେ, ଭଲ ପ୍ରଦର୍ଶନ କଲେ ମଧ୍ୟ ରବି ବିଷ୍ନୋଇଙ୍କୁ ଅନ୍ୟ ବୋଲର ତୁଳନାରେ କମ ସୁଯୋଗ ମିଳିଛି । ସେ ଦଳରେ ରହିଲେ ମଧ୍ୟ ଅଧିକାଂଶ ସମୟରେ ବେଞ୍ଚରେ ବସୁଥିବା ଦେଖିବାକୁ ମିଳିଛି । ଏହି ସିରିଜରେ ମଧ୍ୟ ତାଙ୍କ ଉପରେ ୱାଶିଂଟନ ସୁନ୍ଦର ଓ ବରୁଣ ଚକ୍ରବର୍ତ୍ତୀଙ୍କ ପରି ସ୍ପିନରଙ୍କୁ ସୁଯୋଗ ଦିଆଯାଇଛି । ଏବେ ଦେଖିବା ବାକି ରହିଲା ଯେ, ଶେଷ ଟି-୨୦ରେ ବିଷ୍ନୋଇଙ୍କୁ ସୂର୍ଯ୍ୟକୁମାର ଯାଦବ ସୁଯୋଗ ଦେଉଛନ୍ତି ନା ନାହିଁ ।
ଭାରତୀୟ ଦଳର ସହାୟକ କୋଚ୍ ସ୍ପଷ୍ଟ କରି ସାରିଛନ୍ତି ଯେ ବିଫଳ ପରେ ବି ସଞ୍ଜୁ ସାମସନଙ୍କୁ ତୃତୀୟ ଟି-୨୦ରେ ସୁଯୋଗ ମିଳିବ । ସେ କହିଥିଲେ, ଜିତେଶ ଶର୍ମା ଦଳରେ ଅଛନ୍ତି । ତଥାପି ଆମେ ସଞ୍ଜୁଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛୁ ।
ଆଜିର ମ୍ୟାଚରେ ସମ୍ଭାବିତ ଚୂଡାନ୍ତ ଏକାଦଶ
ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ, ନୀତିଶ ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ମୟଙ୍କ ଯାଦବ, ହର୍ଷିତ ରାଣା ।