ହାଇଦ୍ରାବାଦ୍, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତ ଭଲ ପ୍ରଦର୍ଶନ କରିଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ନିଜ ମାଟିରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିଛି । ବିଶ୍ୱକପକୁ ଯିବା ପୂର୍ବରୁ ଏହା ଭାରତର ମନୋବଳକୁ ବଢ଼ାଇବ । ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ମୋହାଲିରେ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା । କିନ୍ତୁ ବର୍ଷାବାଧିତ ନାଗପୁର ମ୍ୟାଚରେ ପରାସ୍ତ ହୋଇଥିଲା ।
୩ୟ ତଥା ଅନ୍ତିମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ହିରୋ ସାଜିଥିଲେ । ଅଷ୍ଟ୍ରେଲିଆ ଟିମ୍ ରବିବାର ଭାରତକୁ ହାଇଦାବାଦ୍ସ୍ଥିତ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା । କେଏଲ୍ ରାହୁଲ (୧) ଓ ରୋହିତ ଶର୍ମା (୧୭) ଶସ୍ତାରେ ଆଉଟ୍ ହୋଇଯିବା ପରେ ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି ଦଳର ଦାୟିତ୍ୱ ନେଇଥିଲେ । କୋହଲି ୪୮ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୬୩ ରନ୍ ସଂଗ୍ରହ କରିଥିଲେ । ସେ ୩ଟି ଚୌକା ଓ ୪ଟି ଛକା ମାରିଥିଳେ । ଯୁବ ବ୍ୟାଟର ସୂର୍ଯ୍ୟକୁମାର ୩୬ଟି ବଳ୍ ସାମ୍ନାକରି ୫ଟି ଚୌକା ଓ ସମାନ ପରିମାଣର ଛକା ମାରିବା ସହିତ ବ୍ୟକ୍ତିଗତ ଭାବେ ୬୯ ରନ୍ କରିଥିଲେ । ମାତ୍ର ସୂର୍ଯ୍ୟକୁମାର ଆଉଟ୍ ହୋଇଯିବା ପରେ ଭାରତର ସ୍କୋର ଧୀମା ପଡ଼ିଯାଇଥିଲା । ପୁଣି ବିରାଟ କୋହଲି ଆଉଟ ହେଲା ପରେ ଟିମ୍ ଇଣ୍ଡିଆ ସଂକଟରେ ପଡ଼ିଯାଇଥିଲା । ଶେଷ ମୁହୂର୍ତ୍ତରେ ମ୍ୟାଚ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା । କିନ୍ତୁ ଭାରତୀୟ ଟିମ୍ ଗୋଟିଏ ବଲ୍ ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୧୬ଟି ବଲ୍ ଖେଳି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୫ ରନ୍ ସଂଗ୍ରହ କରିଥିଲେ । ପାଣ୍ଡ୍ୟାଙ୍କ ବ୍ୟାଟିଂ ଭାରତର ବିଜୟରେ ବଡ଼ ସହାୟକ ହୋଇଥିଲା ।