ଖବର ଓଡ଼ିଶା: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ କରାଯାଇଥିବା ମାମଲାରେ ମନୀଷ ସିସୋଦିଆଙ୍କୁ ସର୍ବୋଚ୍ଚ ନ୍ୟାୟଳୟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୧୭ ମାସ ହେବ ତିହାଡ଼ ଜେଲରେ ଥିବା ମନୀଷ ସିସୋଦିଆଙ୍କୁ ମୁକୁଳିବେ ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟର ନ୍ୟାୟାଧୀଶ ବି ଆର୍ ଗବାଇ ଏବଂ ନ୍ୟାୟାଧୀଶ କେବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଅଗଷ୍ଟ ୬ର ମାମଲାର ଶୁଣାଣି କରି ରାୟକୁ ସୁରକ୍ଷିତ ରଖିଥିଲେ । ତେବେ ଶୁକ୍ରବାର ମାମଲାର ରାୟ ପ୍ରକାଶ ପାଇଛି । ଖଣ୍ଡପୀଠ ସମସ୍ତ ପକ୍ଷର ଆରୋପ ପ୍ରତ୍ୟାରୋପ ଶୁଣିଲା ପରେ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ କରାଯାଇଥିବା ମାମଲାରେ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ୧୦ ଲକ୍ଷ ଟଙ୍କା ଜମାନତରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ ପ୍ରତ୍ୟେକ ସୋମବାର ଓ ଗୁରୁବାର ଥାନାରେ ହାଜିରା ଦେବାକୁ କୋର୍ଟ ମନୀଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ପାସପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଜାମିନ ମାଗୁଥିବାବେଳେ ସିସୋଦିଆଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ଯେ ସେ ଗତ ୧୭ ମାସ ହେଲା ଜେଲରେ ଅଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଟ୍ରାଏଲ୍ ଆରମ୍ଭ ହୋଇନାହିଁ । ଏହା ସହ ତାଙ୍କଠାରୁ କିଛି ଜବତ ବି କରାଯାଇ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଥିଲେ । କିନ୍ତୁ ଅପର ପକ୍ଷରେ ଉଭୟ ସିବିଆଇ ଏବଂ ଇଡି ପକ୍ଷ ଶୁଣାଣି ବିଳମ୍ବ ପାଇଁ ମନୀଷ ସିସୋଦିଆ ଦାୟୀ ବୋଲି କହିଥିଲେ । କିନ୍ତୁ ସୁପ୍ରିମକୋର୍ଟ କହିଥିଲେ ଯେ ୪୦୦ରୁ ଅଧିକ ସାକ୍ଷୀ ରହିଛନ୍ତି, ତେଣୁ ନିକଟରେ ଟ୍ରାଏଲ୍ ପୁରା ହେବାର ସମ୍ଭାବନା ନାହିଁ । ତମାମ ଆଲୋଚନା ପରେ କୋର୍ଟ ମନୀଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଯେତେବେଳେ ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କଲେ ସେତେବେଳେ ଇଡିର ଅତିରିକ୍ତ ସଲିସିଟର ଜେନେରାଲ୍ ଏସ୍.ଭି ରାଜୁ ଦାବି କରିଥିଲେ ଯେ ପୂର୍ବତନ ମନ୍ତ୍ରୀଙ୍କୁ ଦିଲ୍ଲୀ ସଚିବାଳୟକୁ ନଆସିବାର ସର୍ତ୍ତ ଆଧାରରେ ଜାମିନ ପ୍ରଦାନ କରାଯାଉ । ଇଡିର ଏହି ଦାବିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ ଜାମିନ ପ୍ରଦାନ କରି କହିଛନ୍ତି ଯେ ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ପଳାୟନ କରିବାର ଆଶଙ୍କା ନାହିଁ । ଏ ମାମଲାରେ ଆବଶ୍ୟକ ପ୍ରମାଣ ମିଳି ସାରିଛି । ତେଣୁ ସେ ପ୍ରମାଣ ନଷ୍ଟ କରିଦେବାକର କୌଣସି ସମ୍ଭାବନା ନାହିଁ ବୋଲି ଖଣ୍ଡପୀଠ କହିଥିଲେ । କିନ୍ତୁ ସାକ୍ଷୀଙ୍କୁ ଡରାଇବା କିମ୍ବା ପ୍ରଭାବିତ କରିବାର ସମ୍ଭାବନା ରହିଛି । ତେଣୁ କୋର୍ଟ ୧୦ ଲକ୍ଷ ଟଙ୍କା ଜମାନତରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହା ସହିତ ପ୍ରତ୍ୟେକ ସୋମବାର ଓ ଗୁରୁବାର ଥାନାରେ ହାଜିରା ଦେବାକୁ କୋର୍ଟ ମନୀଷୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଜର ପାସପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।